Odiapua.com

ପରିବାର ଚଳାଇବାର ବୋଝ ମୁଣ୍ଡାଇଛନ୍ତି ବାପ ଛେଉଣ୍ଡ ଝିଅ,କଲମ ବଦଳରେ ହାତରେ ହଳ ଲଙ୍ଗଳ

ମାଲକାନଗିରି,୨୦ ।୬ (ଓଡିଆ ପୁଅ ) ଯେଉଁ ବୟସରେ ସାଙ୍ଗସାଥିଙ୍କ ମେଳରେ ହସଖୁସିରେ ପାଠପଢିବା କଥା ସେହି ବୟସରେ ହାତରେ କଲମ ଖାତା ବଦଳରେ ପରିବାର ଚଳାଇବାପାଇଁ ହଳଲଙ୍ଗଳ ଧରି ଜମିରେ ଚାଷକରୁଛନ୍ତି ଆଦିବାସୀ ଝିଅ । ଏମିତି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ ମାଟେରୁ ପଚାଂୟତ ତେଗଡାପାଲି ଆଦିବାସୀ ଗ୍ରାମରେ । ସେହି ଗ୍ରାମର ସୋମେ ମାଢି (୧୯)ଙ୍କ ଦୁଃଖ ଅନେକ ଅଛି ହେଲେ ସେ ଦୁଃଖକୁ ନିଜଛାତିତଳେ ଚାପି ରଖି ପରିବାର ପ୍ରତି ପୋଷଣକରିବା ପାଇଁ ଯୁକ୍ତ ଦୁଇ ପାଠପଢାରେ ଡୋରିବାନ୍ଧିଦେଇ ଖରା ବର୍ଷାରେ ହଳଲଙ୍ଗଳ ଧରି ଜମିରେ ଚାଷକରୁଛନ୍ତି ତ ପରଘରେ ମୂଲ ମଜୁରୀ ଲାଗୁଛନ୍ତି । ସୋମେ ମାଢିଙ୍କ ବାପା ଗତ ୯ବର୍ଷତଳେ ସେବିରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀପାଣିରେ ଭାସି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ମା ଇର୍ମେ ମାଢି ବହୁ ଦୁଃଖ କଷ୍ଟରେ ପରଘରେ ମୂଲ ମଜୁରାଲଗି ପିଲାଙ୍କ ପେଟକୁ ଦାନା ଦେଉଥିଲେ । ସୋମେ ଭଲ ପାଠପଢୁପଥିବାରୁ ତାଙ୍କୁ ମା ପାଠପଢାଉଥିଲେ । ସେ ମ୍ୟାଟ୍ରିକ ପାସ କରିବାପରେ କଲେଜ ରେ ନାମ ଲେଖାଇଦେଲେ । କଲେଜରେ ଯୁକ୍ତ ଦୁଇ ରେ ଭଲ ପାଠ ପଡୁଥିବା ସମୟରେ ମା ଇର୍ମେ ଙ୍କ ଦେହ ଅସୁସ୍ଥ ହୋଇ ସେ ରୋଗରେ ପଡିବାରୁ ସୋମେ ଙ୍କ ପାଠପଢାରେ ଡୋରି ବନ୍ଦା ହୋଇଗଲା । ସୋମେ ଙ୍କ କାନ୍ଧରେ ଏବେ ପରିବାର ବୋଝ, ଘରକୁ ରୋଗୀଣା ମା, ଭାଇ ଓ ସାନଭଉଣୀ ରହିଛନ୍ତି । ନିଜ ପାଠପଢାରେ ଡୋରି ବନ୍ଧା ହୋଇଗଲା ତାଙ୍କ ମନରେ ଦୁଃଖ ନାହିଁ, ତାଙ୍କର ସାନଭଉଣୀ ଓ ଭାଇ କିପରି ପାଠ ପଢି ବଡ ମଣିଷ ହେବେ ଓ ମାଙ୍କୁ ଚିକିତ୍ସା କରି ଭଲ କରିବା ପାଇଁ ସୋମେ ଦିନରାତି ପରିଶ୍ରମ କରି ଚାଲିଛନ୍ତି । ଗାଁର ଲୋକ ମାନଙ୍କ ଜମିରେ ପରୁଷ ଲୋକଙ୍କ ପରି ହଳଲଙ୍ଗଳ ଧରି ଜମିଚାଷକରିବା,ଧାନ ବୁଣିବା ଠାରୁ ଆରମ୍ଭ କରି ସମସ୍ତପ୍ରକାର କାମକରୁଛନ୍ତି । ଫୁରସତ ମିଳିଲେ ସାନ ଭାଇ ଓ ଭଉଣୀଙ୍କୁ ପାଠପଢାଉଛନ୍ତି । ସରକାରଙ୍କ ପକ୍ଷରୁ କେବଳ ମାଙ୍କୁ ୫୦୦ଟଙ୍କା ବିଧବା ଭତା ଆଉ ଟଙ୍କିକିଆ ଚାଳ କୁ ଛାଡି ଦେଲେ ଇନ୍ଦିରା ଆବସଟିଏ ନାହିଁକି ଆଉ କିଛି ସହାୟତା ନାହିଁ । ସୋମେ ଙ୍କର ଅଧିକ ପାଠ ପଢିବା ପାଇଁ ଇଛାଥିଲେ ମଧ୍ୟ ତାଙ୍କତ ପାଠପଡାରେ ଅର୍ଥ ସାଜିଛି ବାଧକ । ଆଦିବାସୀ ଝିଅଟିଏ ହଲେ କଣ ହେଲା ତାଙ୍କର ରୋଗିଣା ମାଙ୍କର ସେବା ଓ ଭାଇ ଭଉଣୀଙ୍କ ପ୍ରତି ସ୍ନେହ ମମତା ଓ ସଂସ୍କାର ଦେଖି ଗ୍ରାମବାସୀ ମାନେ ତାଙ୍କୁ ସ୍ନେହ ଆଦର କରିଥାନ୍ତି । ଯେଉଁ ହାତରେ ବହିଖତା କଲମ ରହିବା କଥା ନିଜପରିବାର ଚଳାଇବା ପାଇଁ ସେହି ହାତରେ ପାଚଂଣ ହଳଲଙ୍ଗଳ ଧରିବାକୁ ପଡୁଛି ସୋମେ ଙ୍କୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଆଦିବାସୀ ମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ କରାଯାଉଛି ବୋଲି ଡିଣ୍ଡିମ ପିଟାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାର ତେଗଡପାଲି ଗ୍ରାମର ଶିକ୍ଷତ ଆଦିବାସୀ ଝିଅକୁ ଦେଖିଲେ କେତେଦୂର ଉପକୃତ ହୋଇଛନ୍ତି ଏହି ଆଦିବାସୀ ମାନେ ତାହା ଜଳ ଜଳ ହୋଇ ଦେଖାଯାଉଛି ।