Odiapua.com

ପରିବାରର ଭରଣପୋଷଣ ପାଇଁ ଦାଦନ ଶ୍ରମିକ : ରୋଗଗ୍ରସ୍ତ ଅବସ୍ଥାରେ ଘରକୁ ପ୍ରତ୍ୟାବର୍ତ୍ତନ ସମୟରେ ଜୀବନ ହାରିଲା-

ବାରିପଦା ୦୩/୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ନିଜର ପେଟକୁ ଦୁଇ ଓଳି ଆହାର ଅନ୍ୱେଷଣ ନିମନ୍ତେ କିଛି ମାସ ପୂର୍ବେ ଜୀବିତ ଅବସ୍ଥାରେ ଦାଦନ ଖଟିବାକୁ ଯାଇଥିଲା ; ହେଲେ ଘରକୁ ଫେରି ଆସିଲା ଶବ। ଏହି ଭଳି ଏକ ଦୁଃଖଦାୟକ, ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଯଦୁନାଥପୁର ଗ୍ରାମରେ। ଯଦୁନାଥପୁର ଗ୍ରାମର ସ୍ୱର୍ଗତଃ ବିଶ୍ୱନାଥ ସିଂଙ୍କ ପୁଅ ରାମ ସିଂ(୪୮)। ପ୍ରଥମେ ସ୍ତ୍ରୀ ଓ ପରେ ପିଲା ରାମ ସିଂକୁ ଛାଡ଼ି ଆର ପାରିକୁ ଚାଲିଯାଇଥିଲେ। ଗ୍ରାମରେ ରୋଜଗାର ନ ମିଳିବାରୁ ଅଭାବ ଅନାଟନ ମଧ୍ୟଦେଇ ଗତି କରୁଥିଲା। ଘରେ ଭାଇଙ୍କୁ ଛାଡ଼ି ଦେଲେ ଆଉ କେହି ନଥିଲେ। ରୋଜଗାର ସନ୍ଧାନରେ କିଛି ମାସ ପୂର୍ବେ ଛୁଟି ଯାଇଥିଲା ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟକୁ। ସେଠାରେ ରୋଗଗ୍ରସ୍ତ ହେବା ପରେ ନିଜ ଘରକୁ ଫେରି ଆସୁଥିଲା। ରାମ ସିଂ ଓ ଗ୍ରାମର ଜଣେ ପଡ଼ୋଶୀ ସହ ନଭେମ୍ବର ୨ ଶନିବାର ରାତିରେ ଟ୍ରେନରୁ ବାଲେଶ୍ୱର ଷ୍ଟେସନରେ ଉହ୍ଲାଇ ସେଠାରୁ ବାରିପଦା ଓ ବାରିପଦାରୁ ନିଜ ଗ୍ରାମ ଯଦୁନାଥପୁର ଯିବା ପାଇଁ ରାଇରଙ୍ଗପୁର ବସରେ ଉଠିଥିଲା। ମାତ୍ର ବାଲେଶ୍ୱର-ବାରିପଦା ରାସ୍ତାରେ ତାର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ କାହାକୁ ଜଣାନଥିଲା। ଭୋର ସମୟରେ ବାରିପଦାରେ ବସ ପହଁଞ୍ଚିବା ପରେ ବସ ହେଲପର ଡ଼ାକଛାଡ଼ିବାରୁ ନିକଟରେ ବସିଥିବା ସହଯାତ୍ରୀ ତଥା ପଡ଼ୋଶୀ ତାଙ୍କୁ ସିଟ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ବସର ହେଲପର ସହ ରାମ ସିଂର ଶବକୁ ତଳକୁ ଉହ୍ଲାଇ ଦେଇ ଚାଲିଯାଇଥିଲା। ରବିବାର ସକାଳ ସମୟରେ ବାରିପଦା ଟାଉନ ଥାନା ପୁଲିସ ଖବର ପାଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇବା ସହ ପ୍ରାଥମିକ ତଦନ୍ତ ପରେ ଥାନାରେ ୧୬୨/ ୦୩.୧୧.୨୦୧୯ରେ ଏକ ଅପମୃତ୍ୟୁ ମାମଲା ରଜୁ କରିଛନ୍ତି। ଏଥି ସହିତ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବାର ଜଣାପଡ଼ିଛି।

ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୁରଭଞ୍ଜ। ଅତୀତରେ ମହାରାଜାଙ୍କ ଶାସନ ସମୟରେ ଏକ ସମୃଦ୍ଧଶାଳୀ ଗଡ଼ଜାତ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିଲା। ୧୯୪୯ ଜାନୁଆରୀ ୧ରେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଓ ୨ରେ ଓଡ଼ିଶାର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାର ପରବର୍ତ୍ତି ସମୟରୁ ଜିଲ୍ଲା ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ତାଲିକାରେ ସାମିଲ ହେଲା ବଣ ପାହାଡ଼ ଘେରା ମୟୁରଭଞ୍ଜ ଜିଲ୍ଲାରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ନଥିବା କାରଣରୁ ଜିଲ୍ଲାବାସୀଙ୍କ ସାମଗ୍ରୀକ ବିକାଶ ସମ୍ଭବ ହୋଇପାରି ନାହିଁ। ଜିଲ୍ଲାରେ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଫଳରେ ପ୍ରତ୍ୟେକ ବର୍ଷ ଜିଲ୍ଲାରୁ ରାଜ୍ୟ ବାହାରକୁ ଶହ ଶହ ବ୍ୟକ୍ତି ଦାଦନ ଖଟିବା ନିମନ୍ତେ ଛୁଟି ଯାଇଥାନ୍ତି। ଏମାନଙ୍କ ମଧ୍ୟରୁ କେହି କେହି ମାଲିକର ଶୋଷଣର ଶିକାର ହେଉଥିବା ବେଳେ କେହି ରାମ ସିଂ ଅବସ୍ଥା ହେଉଥିବାର ନଜିର ରହିଛି। ତେଣୁ ସରକାର ଏ ଦିଗରେ ଯତ୍ନବାନ ନ ହେଲେ ଆଗକୁ ରାମ ସିଂ ଭଳି ଶହ ଶହ ରାମ ସିଂଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।