Odiapua.com

ପରିବର୍ଦ୍ଧିତ ବିଜେଡି କାର୍ଯ୍ୟକାରିଣୀ ବୈଠକ : କେନ୍ଦ୍ରାପଡା ବିଧାୟକ ବିକାଶ ପରିବର୍ତ୍ତେ ବିନାଶ କରୁଛନ୍ତି: ବିଜେଡି କର୍ମକର୍ତ୍ତା

କେନ୍ଦ୍ରାପଡ଼ା, ୨୬ା୯ (ଓଡ଼ିଆ ପୁଅ) : ଟାଉନ୍ ହଲ ପରିସରରେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର‌୍ୟ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ସଭାପତିତ୍ୱ କରିଥିଲେ। ବୈଠକରେ କେନ୍ଦ୍ରାପଡ଼ା ବିଜେଡି ଦଳୀୟ ପର‌୍ୟ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି କିପରି ସଫଳ ହେବ ସେ ସମ୍ପର୍କରେ ଦଳର କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କେନ୍ଦ୍ରାପଡାର ବିକାଶ କରିବା ପରିବର୍ତ୍ତେ ବିନାଶ କରି ଚାଲିଛନ୍ତି ଓ ନିଜ ପୁଅକୁ ଲଗାଇ ଠିକାଦାରମାନଙ୍କ ଠାରୁ ଜୋରଜବରଦସ୍ତ ପିସି ଆଦାୟ କରୁଛନ୍ତି। କେବଳ ଠିକାଦାର ନୁହନ୍ତି ବିଭାଗୀୟ ଅଧିକାରୀଙ୍କ ଉପରେ ଜୁଲମ ମଧ୍ୟ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ପୁଅ ଦ୍ୱାରା ଫୋନ କରାଇ ବଦଳିର ଧମକ ଦେଉଛନ୍ତି ବୋଲି କର୍ମୀମାନେ ଅଭିଯୋଗ କରିଥରଲେ। ବହୁ ବିଜେଡି ନେତୃତ୍ୱ ଏବଂ କର୍ମକର୍ତ୍ତାମାନେ ବିଧାୟକଙ୍କ ବିରୋଧରେ ବିଷୋଦଗାର କରି ତାଙ୍କ ପୁଅ କିଭଳି କେନ୍ଦ୍ରାପଡାରେ ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀଙ୍କୁ ଉପେକ୍ଷା କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଟେଣ୍ଡରଫିକ୍ସିଂ କରାଇବା ସହିତ କେନ୍ଦ୍ରାପଡାର ବିକାଶକୁ ବହୁ ପଛକୁ ନେଇଯାଇଥିବା ଅଭିଯୋଗ କରିଥିଲେ। ଏହି ବୈଠକରେ ପର‌୍ୟ୍ୟବେକ୍ଷକ ଭାବେ ଯୋଗଦେଇଥିବା ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ବିଜେଡି କର୍ମୀମାନଙ୍କ ଏଭଳି ଆଚରଣ ଦେଖି କେନ୍ଦ୍ରାପଡାରେ ଦଳର ସଂଗଠନ କିପରି ବିପର‌୍ୟ୍ୟସ୍ତ ହୋଇପଡିଛି ସେ ସମ୍ପର୍କରେ ଅବଗତ ହେବା ପରେ ଦଳର ଉଚ୍ଚ କତ୍ତୃପକ୍ଷଙ୍କୁ ସେ ସମ୍ପର୍କରେ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ। କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଟାଉନହଲ ପରିସରକୁ ଏକ ପର‌୍ୟ୍ୟଟନସ୍ଥଳୀ ଭାବେ ସଜାଇଥିବା ଦେଖିବାକୁ ମିଳିଥିଲା। ଦଳୀୟ ପର‌୍ୟ୍ୟବେକ୍ଷକଙ୍କୁ ଖୁସ କରି ଦଳର ମୁଖିଆଙ୍କ ପାଖରେ ବାହାବା ନେବାକୁ ବିଧାୟକ କରିଥିବା ସମସ୍ତ ଉଦ୍ୟମକୁ ଦଳର କର୍ମୀମାନେ ପଣ୍ଡ କରିଦେଇଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର‌୍ୟ୍ୟ ହୋଇନଥିବା ଅନେକ ପ୍ରକଳ୍ପ ସମ୍ପର୍କରେ ଟାଉନ ହଲ ପରିସରରେ ଚିଠା ଟଙ୍ଗା ହୋଇଥିବା ଦେଖି ବହୁ କର୍ମୀ ତାହାର ବିରୋଧ କରିଥିଲେ। ବାପା ବିଧାୟକ ଥିବା ବେଳେ ପୁଅ ନିଜକୁ ଛାୟା ବିଧାୟକ ଭାବେ ଦେଖାଇ ହୋଇ ବହୁ କର୍ମୀଙ୍କୁ ଉପେକ୍ଷା ଓ ଅସମ୍ମାନିତ କରି ଦଳର ସଂଗଠନକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟର ସର୍ବ ପୁରାତନ କେନ୍ଦ୍ରାପଡା ପୈାରାଞ୍ଚଳର ସାମଗ୍ରିକ ବିକାଶ କଥା କହୁଥିବା ବିଧାୟକ କେନ୍ଦ୍ରାପଡାର ବିକାଶ ବଦଳରେ ବିନାଶ କରିଥିବା ନେଇ ସଭାରେ ଅଭିଯୋଗ ହୋଇଥିଲା। ବୁଥ ସ୍ତରରୁ ଜିଲା ସ୍ତର ପର‌୍ୟ୍ୟନ୍ତ ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ୱାନ ଦେଇ ବିଧାୟକ ଶ୍ରୀ ବେହେରା ଦଳ ମଧ୍ୟରେ ଥିବା ମନ ମାଳିନ୍ୟକୁ ଭୁଲି ଯାଇ ବିକାଶକୁ ଆଗେଇ ନେବା ପାଇଁ ଉପସ୍ଥିତ କର୍ମକର୍ତ୍ତାଙ୍କୁ କହିଥିଲେ। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ବିକାଶରେ ବାଧା ଦେଇଥିଲେ ମଧ୍ୟ ବ୍ରାହ୍ମଣୀ ନଦୀ ଉପରେ ୧୦୦ କୋଟି ଟଙ୍କାର ଦୁଇଟି ସେତୁ ନିର୍ମାଣ ହେବାକୁ ଯାଉଥିବା ବେଳେ ୧୯୩୪ ମସିହାରେ ଗାନ୍ଧୀଜୀଙ୍କ କେନ୍ଦ୍ରାପଡ଼ା ପଦଯାତ୍ରାର ସ୍ମାରକୀ ନିମନ୍ତେ ଗରାପୁର ଡାକ ବଙ୍ଗଳାକୁ ଗାନ୍ଧୀ ସ୍ମାରକୀ ବଙ୍ଗଳା ଏବଂ ତିନିମୁହାଣୀ ଠାରେ ଗାନ୍ଧୀଜୀଙ୍କ ଦାଣ୍ଡି ଯାତ୍ରାର ସ୍ମାରକୀ ନିର୍ମାଣ ଚାଲିଛି। ସେହିପରି ମହାଭୋଇ ପୋଖରୀର ସୌନ୍ଦର‌୍ୟ୍ୟକରଣ ପାଇଁ ୬ କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ୧୮୯୭ ମସିହାର ଜୁବୁଲି ପାଠାଗାରକୁ ଅତ୍ୟାଧୁନିକ କରାଯିବା ସହ ପୁରୁଣା ବସଷ୍ଟାଣ୍ଡ ଛକର ନବକଳେବର ହେବ। ସେହିପରି ଅନେକ ବିକାଶମୂଳକ କାର‌୍ୟ୍ୟ ଚାଲିଛି ଓ ଆଗକୁ ମଧ୍ୟ ଚାଲିବ। ପଦପଦବୀ ଆଶା ନ ରଖି କେବଳ ବିକାଶ ପାଇଁ ସଂଗ୍ରାମ କରିବା ଆମର କାର‌୍ୟ୍ୟ ବୋଲି ବିଧାୟକ ତାଙ୍କ ଭାଷଣରେ କହିଥିଲେ। ଏହି ବୈଠକରେ କେନ୍ଦ୍ରାପଡ଼ାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା। ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା, ରାଜ୍ୟ ବିଜେଡି ସଂପାଦକ ରଞ୍ଜିତ ସାହୁ, ନଗର କାର‌୍ୟ୍ୟକାରୀ ସଭାପତି ମଙ୍ଗଳବରଣ ସିଂ, ଶକ୍ତିକାନ୍ତ ପାତ୍ର, ଜିଲ୍ଲା ସମ୍ପାଦକ ଦେବାଶିଷ କୁବେର, ସବିତା ସାହୁ, ଶ୍ରୀକାନ୍ତ ପଣ୍ଡା, ଜିଲ୍ଲା ବିଜେଡି ମହିଳା ଉପ ସଭାପତି ସୀତାସୁନ୍ଦରୀ ମଲ୍ଲିକ ପ୍ରମୁଖ ଏହି କାର‌୍ୟ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ଭଜକୃଷ୍ଣ ରାଉତ, ଗଦାଧର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖ୍ୟାତନାମା ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ପର‌୍ୟ୍ୟବେକ୍ଷକ ଶ୍ରୀ ସାମନ୍ତରାୟଙ୍କ ଏକ ନିଚ୍ଛକ ପ୍ରତିଛବି ତାଙ୍କୁ ପ୍ରଦାନ କରିଥିଲେ।