Odiapua.com

ପରିତ୍ୟକ୍ତ ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲା ଜଗନ୍ନାଥ ପ୍ରଚାର ସମିତି

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୭ରୁ ୮ବର୍ଷ ଧରି ଅପୂଜା ରହିଛନ୍ତି ମନ୍ଦିରର ଦେବାଦେବୀ । ମନ୍ଦିର ବେଢ଼ା ବଣୁଆ ଘାସରେ ଭର୍ତ୍ତୀ । ବେଢ଼ା ବାହାରେ ମଧ୍ୟ ଅନାବନା ଗଛଲତା ମାଡ଼ିଗଲାଣି ମନ୍ଦିରର ବିଶାଳ ପାଚେରୀକୁ । ଠିକ ଏହି ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ୫ଟି ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ଭଦ୍ରକ ଜଗନ୍ନାଥ ପ୍ରଚାର ସମିତି । ଭଦ୍ରକ ଜଗଦଲପୁର ପଞ୍ଚାୟତର ବାହାବଲପୁର ଗ୍ରାମରେ ଗୋଟିଏ ବେଢ଼ାରେ ଥିବା ୫ଟି ମନ୍ଦିରରେ ସମିତିର କେତେକ କାର୍ଯ୍ୟକର୍ତ୍ତା ମୁଖ୍ୟ ପରିଚାଳକ ଭାଗୀରଥି ନନ୍ଦଶର୍ମାଙ୍କ ନେତୃତ୍ୱରେ ପହଞ୍ଚି ଏଗୁଡ଼ିକର ପୁନରୁଦ୍ଧାର କିପରି ହୋଇ ପାରିବ, ସେଥିନେଇ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ଲୋକେ ଏକ ଟ୍ରଷ୍ଟ ଗଠନ କରିବା ପରେ ସମ୍ମିଳିତ ଭାବରେ ଉକ୍ତ ମନ୍ଦିରସମୂହର ଦୂରାବସ୍ଥା ସମ୍ପର୍କରେ ଦେବୋତ୍ତର ବିଭାଗୁ ଅବଗତ କରିବାକୁ ସୂଚନା ଦେଇଥିଲେ । ଏଦିଗରେ ସମିତି ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ସୂଚନାଯୋଗ୍ୟ ୨୦୦୫ ମସିହାରେ ଉକ୍ତ ଗ୍ରାମର ବାସିନ୍ଦା ସୁବାଷ ଚନ୍ଦ୍ର ସାହୁଙ୍କ ଜ୍ୟେଷ୍ଠପୁତ୍ର ମନୋଜ ବହୁ କୋଟି ଟଙ୍କା ବ୍ୟୟରେ ଶ୍ରୀ ହନୁମାନ, ଶ୍ରୀରାମ, ଲକ୍ଷ୍ମଣ ସୀତାଙ୍କ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ଓ ମା’ ଦୁର୍ଗାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଗୋଟିଏ ବେଢ଼ାରେ ଏସମସ୍ତ ମନ୍ଦିର ଥିବାବେଳେ, ବହୁ ଅର୍ଥ ବ୍ୟୟ କରି ସେ ମନ୍ଦିର ବେଢ଼ାକୁ ମାର୍ବଲ ପଥରର ସୁକ୍ଷ୍ମ କାରୁକାର୍ଯ୍ୟରେ ଆକର୍ଷଣୀୟ କରିଥିଲେ । ସମସ୍ତ ମନ୍ଦିରରେ ମାର୍ବଲ ପ୍ରତିମା ସ୍ଥାପନ କରିବା ସହ ୨୦୧୧ ମସିହାରେ ଏସମସ୍ତ ମନ୍ଦିରର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ଦିବସ ଠାରୁ ୨/୩ ବର୍ଷ ଯଥାବିଧି ପୂଜା ଚାଲିଥିଲା । କିନ୍ତୁ ଶ୍ରୀ ସାହୁଙ୍କ ଆର୍ଥୀକ ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ, ଦେବାଦେବୀଙ୍କ ପୂଜାବିଧି ବାଧାପ୍ରାପ୍ତ ହେଲା । ଏସମସ୍ତ ମନ୍ଦିର ଶ୍ରୀ ସାହୁଙ୍କ ବ୍ୟକ୍ତିଗତ ଜମିରେ ଥିବାରୁ ଅନ୍ୟକେହି ଏହି ସମସ୍ୟା ପ୍ରତି ଧ୍ୟାନ ଦେଇନଥିଲେ । ଫଳରେ ଗତ ୭ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏସମସ୍ତ ମନ୍ଦିରରେ ଥିବା ଦେବାଦେବୀ ଅପୂଜା ରହିଛନ୍ତି । ତେଣୁ ଆବଶ୍ୟକ ପଡ଼ିଲେ ପୂଜାବିଧି ଯଥାରିତୀ ଚାଲିବା ପାଇଁ ସେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଉଊଦ୍ଦ୍ୟୋରେଦାନ କରିଦେବେ ବୋଲି ଶ୍ରୀ ସାହୁ ସମିତିର କାର୍ଯ୍ୟକର୍ତ୍ତାଙ୍କ ଆଗରେ କହିଛନ୍ତି । ଫଳରେ ପୁଣି ଏହି ପୂଜାସ୍ଥଳୀ ଚଳଚଞ୍ଚଳ ହୋଇ ଉଠିବ ବୋଲି ଆଶାବ୍ୟକ୍ତ କରାଯାଉଛି । ସମିତିର କାର୍ଯ୍ୟକର୍ତ୍ତା ଶରତ ସାହୁ, ପ୍ରଶାନ୍ତ କୁମାର ଦେ, ନାରାୟଣ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ମଲ୍ଲିକ, ସନେଇ ଶିଅଳ, ଭାଗିରଥୀ ନାୟକ, ଗଣେଶ ପ୍ରସାଦ ଦାସ, ବସନ୍ତ ମହାପାତ୍ର, ରମାକାନ୍ତ ବେହେରା, କମଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।