Odiapua.com

ପରସିଙ୍ଗା ପଂଚାୟତ ଖଣ୍ଡାଗଡିଆରେ ବୃଦ୍ଧି ପାଉଛି ଚୋରା ଦେଶୀ ମଦ ବ୍ୟବସାୟ, ମଦ ମାଫିଆଙ୍କୁ ଧରିବାରେ ପୁଲିସ୍ ବିଫଳ, ଚୋରା ବ୍ୟବସାୟୀଙ୍କୁ ମହିଳାମାନେ ଦେଲେ ଚେତାବନୀ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଦିନକୁ ଦିନ ଦେଶୀ ମଦ, ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟର ଚୋରା ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ଅବକାରୀ ଓ ପୁଲିସ୍ ବିଭାଗ ପକ୍ଷରୁ ତାହା ଜବତ ହୋଇଥିଲେ ମଧ୍ୟ କୌଣସି ନିଶାଦ୍ରବ୍ୟର ବିକ୍ରି କମୁନାହିଁ । ତେବେ ଏହି ଜିଲାର ଚରମ୍ପା ପରସିଙ୍ଗା ପଂଚାୟତର ଖଣ୍ଡାଗଡିଆ ଠାରେ ଦେଶୀ ମଦର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଏଠାରେ ଅବକାରୀ ଓ ପୁଲିସ୍ ବିଭାଗର ଢିଲାପଣ ଯୋଗୁଁ ମଦର ପସରା ବେଶ୍ ଜମୁଛି । ଏପରିକି ଛୋଟଛୋଟ ପିଲାମାନେ ମଧ୍ୟ ଏଠାରେ ବ୍ରାଉନସୁଗାରରେ ଅଭ୍ୟସ୍ତ ହୋଇଗଲେଣି । ପୁଲିସ୍ ସେମାନଙ୍କୁ ଆସି କାଁ ଭାଁ ଧରୁଥିଲେ ମଧ୍ୟ ଅଧାବାଟରେ ଛାଡିଦେଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ପୁଲିସ୍ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଧରିବାରେ ସଫଳ ହେଉଥିବାବେଳେ ଏଠାରେ ଚୋରାମଦ ବ୍ୟବସାୟୀଙ୍କୁ ଧରିବାରେ ବିଫଳ ହେଉଛି କାହିଁକି । ଏଭଳି ଏକ ସ୍ପର୍ଶକାତର ବିଷୟକୁ ଆଜି ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ସମସ୍ତ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ । ଏମାନେ ପ୍ରତିବାଦର ସ୍ୱର ଉଠାଇବା ସହ ସ୍ଥାନୀୟ ଅଂଚଳର ଚୋରା ମଦ ମାଫିଆଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ସେମାନେ ତା ବନ୍ଦ ନକଲେ ଆଗାମୀ ଦିନରେ ଆଇନ୍‌କୁ ହାତକୁ ନେବେବୋଲି କଡା ତାଗିଦ ମଧ୍ୟ କରିଛନ୍ତି । ତେଣୁ କିଏ ପୁଲିସ୍ ନା ମହିଳାମାନେ ଏଥିରେ ସଫଳ ହେଉଛନ୍ତି, ତାହା ସମୟ ହିଁ କହିବ ।