Odiapua.com

ପରଲୋକର ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତ

ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗଣେଶନଗର ନିବାସୀ ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତଙ୍କ ୭୪ ବୟସରେ ବୁଧବାର ରାତ୍ରି ୧୧ଟା ସମୟରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଆଣି ରେଙ୍ଗାଲି ଗଣେଶନଗର ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ରଖାଯାଇଛି। ହାଇଦ୍ରାବାଦରେ ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ତାଙ୍କ ପୁଅ ଏବଂ ବାରିପଦାରେ ରହୁଥିବା ତାଙ୍କ ବଡ ପୁଅ ଏଠାରେ ଆସି ପହଞ୍ଚିଲେ ସଂଧ୍ୟାରେ ଗ୍ରାମ୍ଯ ଶସ୍ମାନରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଉଛି। ସ୍ବର୍ଗତ ମହାନ୍ତ ୦୧-୦୫-୧୯୪୬ ମସିହା ବାରିପଦା ସହର ଅଙ୍ଗାର କୁଣ୍ଡିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ଗାନ୍ଧୀ ଆଦର୍ଶରେ ବଞ୍ଚି ରହିଥିଲେ।ତାଙ୍କ ଜୀବନ କାଳରେ ଓଡିଶା ଖଦି ବୋର୍ଡର ଅରର୍ଗାନାଇଜ ଅଫିସର କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ। ୧୯୮୭ ମସିହାରୁ ଗ୍ରାମ୍ଯ ସ୍ବରାଜ ବିକାଶ ସମିତି ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଠନ କରି ବହୁ ବିକାଶ ମୂଳକ କାମକରି ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ରାମଚନ୍ଦ୍ର ନଗର ପଞ୍ଚାୟତ ହାଇସ୍କୁଲର ପ୍ରତିଷ୍ଠା ସଂପାଦକ ଭାବରେ ରହି ହାଇସ୍କୁଲର ବହୁବିଧ ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ।ଆଜି ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ରେଙ୍ଗାଲି ବ୍ଲକ କଂଗ୍ରେସ ସଭାପତି ସୁବାଷ ଚନ୍ଦ୍ର ବିଶ୍ବାଳ, ବିରଞ୍ଚି କୁମାର ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳ, ରାମଚନ୍ଦ୍ର ନଗର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଉଦୟ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ବାସଭବନକୁ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ।