Odiapua.com

ପରକ୍ରିୟା ପ୍ରୀତିକୁ ବିରୋଧ ମହଙ୍ଗା ପଡିଲା, ଭିନ୍ନକ୍ଷମ ପତ୍ନୀ ଓ କନ୍ୟା ଘରୁ ତଡା ଖାଇ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ସ୍ୱାମୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାକୁ ଯାଇ ଜଣେ ଭିନ୍ନକ୍ଷମ ପତ୍ନୀ ନିଜର ଅବିବାହିତ କନ୍ୟା ସହ ମାଡ ଖାଇ ଘରୁ ବିତାଡିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ପକ୍ଷରୁ କୌଣସି ନ୍ୟାୟ ନମିଳିବାରୁ ଏହି ଶୀତଦିନ ରାତିରେ ଭିକ୍ଷାବୃତ୍ତି କରି ପେଟ ପୋଷିଆସୁଥିବା ଭିନ୍ନକ୍ଷମ ମହିଳା ଜଣକ ବାଧ୍ୟହୋଇ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ କନ୍ୟା ଓ ପୁତ୍ର ସହ ଭେଟି ନିଜର ସୁରକ୍ଷା ଓ ଘରକୁ ଫେରିବା ନେଇ ନିବେଦନ କରିଛନ୍ତି । ପୀଡିତା ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଭେଟି ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଫାଣ୍ଡି ଅଧୀନସ୍ଥ ରଘୁପତିବିନ୍ଧା ଗ୍ରାମର ତରିକୁନ ବିବି (୫୫) ନିଜର ସ୍ୱାମୀ ସେକ୍ କଲିମୁଦ୍ଦିନ୍ (୫୯) ଓ ଚାରିପୁତ୍ର ସେକ୍ ଆମିରୁଦ୍ଦିନ୍‌, ସେକ୍ ସମିରୁଦ୍ଦିନ୍‌, ସେକ୍ ଜମିରୁଦ୍ଦିନ୍‌, ସେକ୍ ହାକିମୁଦ୍ଦିନ୍ ଓ ଅବିବାହିତ କନ୍ୟା ସାଜମା ଖାତୁନଙ୍କୁ ନେଇ ଗୋଟିଏ ଖଞ୍ଜାରେ ରହିଆସୁଥିଲେ । ତରିକୁନ ବିବି ଜଣେ ଭିନ୍ନକ୍ଷମ ମହିଳା ଅଟନ୍ତି । ଗତ କିଛିଦିନ ହେବ ସ୍ୱାମୀ ସେକ୍ କଲିମୁଦ୍ଦିନ୍ ସ୍ଥାନୀୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିବା ନେଇ ତରିକୁନ ବିବି ଓ ତାଙ୍କ କନ୍ୟା ବିରୋଧ କରିବାରୁ ସେ ମଦ ପିଇ ଘରକୁ ଫେରି ନିଜର ଅନ୍ୟ ଦୁଇପୁତ୍ର ସେକ୍ ଆମିରୁଦ୍ଦିନ୍ ଓ ସେକ୍ ସମିରୁଦ୍ଦିନ୍ ସହ ଅନ୍ୟ ସମସ୍ତଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରେ ।

ଏପରିକି ଜଣେ ଗ୍ରାମବାସୀ ବଟ ବେହେରାଙ୍କ ଉପସ୍ଥିତିରେ ଗରମ ପାଣି ଢାଳି ମା ଓ ଝିଅଙ୍କୁ ପୋଡି ମାରିବାର ଉଦ୍ୟମ କରିଥିବାବେଳେ ସେ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା । ଇତିମଧ୍ୟରେ ତରିକୁନ ବିବି ନିଜର କନ୍ୟା ଓ ଅନ୍ୟ ଦୁଇପୁତ୍ରଙ୍କୁ ନେଇ ବହୁକଷ୍ଟରେ ଚଳିଆସୁଥିବାବେଳେ ସ୍ୱାମୀ ସେକ୍ କଲିମୁଦ୍ଦିନ୍ କଣ୍ଟ୍ରୋଲ ସାମଗ୍ରୀ ନେଇଆସୁଥିବା ତାଙ୍କ ପତ୍ନୀଙ୍କୁ ଛୁରୀ ଦେଖାଇ ଭୟଭୀତ କରି କାର୍ଡ ସହ ଜିନିଷପତ୍ର ଗୁଡିକୁ ଛଡାଇ ନେଇଥିଲା । ଏହି ଘଟଣାର ପ୍ରତିବାଦ କରିବାରୁ ସେ ମାଡମାରି ପତ୍ନୀ ଓ କନ୍ୟାଙ୍କୁ ଗୁରୁତର କରିବା ପରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିବା ପରେ ଥାନାରେ ଅଭିଯୋଗ କରିବାରୁ ତାଙ୍କ ସ୍ୱାମୀ ଓ ଦୁଇପୁତ୍ର ଗିରଫ ହୋଇ ଜେଲ୍ ଯାଇଥିଲେ । ତେବେ ଜେଲ୍ ଯିବା ପୂର୍ବରୁ ସ୍ୱାମୀ କଲିମୁଦ୍ଦିନ୍ ଜାମିନ୍‌ରେ ଫେରିଲେ ସେମାନଙ୍କୁ ହତ୍ୟା କରିବାର ଚେତାବନୀ ଦେଇଥିଲା । ସତକୁ ସତ ଏବେ ସେ ଜେଲ୍‌ରୁ ଫେରି ନିଜ ପତ୍ନୀ, କନ୍ୟା ଓ ଦୁଇପୁତ୍ରଙ୍କୁ ମାଡମାରି ଘରୁ ବାହାର କରି ଚାବି ପକାଇ ଦେଇଥିଲା । ମାତ୍ର ତରିକୁନ ଜଣେ ଭିନ୍ନକ୍ଷମ ଥାଇ ହୃଦରୋଗ ଯୋଗୁଁ ଔଷଧ ଖାଉଥିବାରୁ ଅସୁସ୍ଥ ହୋଇପଡିଥିଲା । ତେବେ ଏଠିସେଠି ଭିକ୍ଷାବୃତ୍ତି କରି ଚଳିଆସୁଥିବା ତରିକୁନ ବିବି ବର୍ତ୍ତମାନର ଶୀତରାତିରେ କନ୍ୟା ସହ ମୁଣ୍ଡ ଗୁଂଜିବା ପାଇଁ ବାର ଓଳି ତେର ଶୁଣ୍ଢି ପିଣ୍ଡା ହେଉଥିବାବେଳେ ନ୍ୟାୟ ପାଇଁ ବହୁବାର ଫାଣ୍ଡି ବାବୁ ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲା । ମାତ୍ର ପୁଲିସ୍ ଏ ଦିଗରେ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବାରୁ ବାଧ୍ୟହୋଇ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଫୋନ୍ ଯୋଗେ ସ୍ଥାନୀୟ ପୁଲିସ୍ ଅଧିକାରୀଙ୍କୁ ସମସ୍ତ ବିଷୟ ଜଣାଇ ତୁରନ୍ତ ତଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନେ ସେ ରହୁଥିବା ଘରଟିକୁ ଚାବି ପକାଇ ପୁଲିସ୍ ଉପସ୍ଥିତିରେ ମାଡ ମାରିବାକୁ ଗୋଡାଇଥିଲେ । ଏଣୁ ଜିଲା ଆରକ୍ଷୀ ଅଧିକ୍ଷକ ଏଭଳି ଏକ ଅସହାୟ ଭିନ୍ନକ୍ଷମ ମହିଳା ଓ ତାଙ୍କ ପରିବାର ପ୍ରତି ଦୟାଶୀଳ ହୋଇ ଅଭିଯୁକ୍ତମାନଙ୍କ ପ୍ରତି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଦେବେ ବୋଲି ଚେତାବନୀ ଦେଇଛନ୍ତି ।