Odiapua.com

ପରକିୟା ପ୍ରୀତିରୁ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା, ଅଭିଯୁକ୍ତର ଗିରଫ ପାଇଁ ଥାନା ଆଗରେ ଧାରଣା

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଅଧୀନସ୍ଥ ମୁସ୍ତାଫାପୁର ପଂଚାୟତର ଗଉଡବିଶି ମୌଜା ରାଣୀପୋଖରୀ ଆଡି ନିକଟ ଚାଷଜମି ପାଶ୍ୱର୍ରେ ବନ୍ଧଟିଆ ଉପସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟକର୍ମୀ ବସନ୍ତ କୁମାର ସାହୁ (୩୯)ଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗୋବିନ୍ଦପୁର ପଂଚାୟତର କମଳଲୋଚନ ସାହୁଙ୍କ ପୁତ୍ର ଅଟନ୍ତି ବସନ୍ତ । ସେ ସ୍ଥାନୀୟ ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତି । ଆଜି ପ୍ରାତଃରେ ତାଙ୍କର ମୃତଦେହ ଚାଷଜମି ନିକଟରୁ ଉଦ୍ଧାର ହେବା ପରେ ତାଙ୍କ ଭାଇ ସନ୍ତୋଷ ଧାମନଗର ଥାନାରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଧାମନଗର ପୁଲିସ୍‌, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ତେବେ ବସନ୍ତଙ୍କ ବଡଭାଇ ସନ୍ତୋଷ ସାହୁଙ୍କ ଅଭିଯୋଗ ମୂଳେ ତାଙ୍କ ଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏବଂ ଧୁଷୁରୀ ଥାନା ଅଧୀନସ୍ଥ ଅସୁରାଳି ପଂଚାୟତର ବକ୍ସି ଗ୍ରାମର ଜଣେ ଯୁବକ ଓ ତାର ସହଯୋଗୀ ଏଥିରେ ଲିପ୍ତ ଥିବାର ଦର୍ଶାଇଛନ୍ତି । ପରକିୟା ପ୍ରୀତି ସନ୍ଦେହରେ ସଂପୃକ୍ତ ଯୁବକ ବସନ୍ତକୁ ହତ୍ୟା କରିଥାଇପାରନ୍ତି ବୋଲି ସେ କହିଛନ୍ତି । କରୋନା ସମୟରେ ଅସୁରାଳି ଅଂଚଳର ସଂପୃକ୍ତ ଯୁବକଙ୍କ ପତ୍ନୀ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ ।

ଇତିମଧ୍ୟରେ ସେ ଟୀକାକରଣ ଦାୟିତ୍ୱରେ ମଧ୍ୟ ରହିଥିଲେ । ସେତେବେଳେ ବସନ୍ତ ଓ ସଂପୃକ୍ତ ଯୁବକଙ୍କ ପତ୍ନୀ ସହଯୋଗୀ ଭାବେ ଟୀକାକରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଦୁହେଁ ମିଳିମିଶି ଏଭଳି କାର୍ଯ୍ୟ କରିବା ମଧ୍ୟରେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାକୁ ନେଇ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ମନରେ ସନ୍ଦେହ ବଢିଥିଲା । ବସନ୍ତଙ୍କୁ ଏଥିରୁ ଦୂରେଇ ରହିବାକୁ ସେ ବାରମ୍ବାର ଧମକ ଦେଇଆସୁଥିଲେ । ତେବେ ଅଫିସ୍ କାମ ଥିବାରୁ ଦୁହେଁ ଏକାଠି କାମ କରୁଥିବାରୁ ସଂପୃକ୍ତ ଯୁବକଙ୍କ ରାଗ ବୃଦ୍ଧି ପାଇଥିଲା । ପରେ ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ବସନ୍ତ, ପ୍ରେମିକାର ସ୍ୱାମୀ ଓ ଆଉ ଦୁଇଜଣ ଭଦ୍ରଲୋକ ଏହାର ସମାଧାନ କରିଥିଲେ । ଏଥିନେଇ ବସନ୍ତ ନିଜ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଦୁଇଦିନ ପରେ ଲେଖାପଢା ହେବ ବୋଲି ନିଷ୍ପତ୍ତି ଗ୍ରହଣ ପରେ ବୈଠକ ଶେଷ ହୋଇଥିଲା । ବୈଠକ ସରିବା ପରେ ରାତି ପ୍ରାୟ ୯.୫୦ ରେ ବସନ୍ତ ନିଜ ବାଇକ୍‌ରେ ଦୋବଲ ଆସି ସେଠାକାର ଉପସେବା ସ୍ୱାସ୍ଥ୍ୟକେନ୍ଦ୍ରରେ ଗାଡି ରଖିଥିଲେ ବି ରାତି ୧୦ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଏପରିକି ତାଙ୍କ ଫୋନ୍‌କୁ ବାରମ୍ବାର କଲ୍ କଲେବି ବସନ୍ତ ଆଉ ଫୋନ୍ ଧରିନଥିଲେ । ଯାହାକୁ ନେଇ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ବଢିଥିଲା । ସେମାନେ ଧାମନଗର ଥାନାକୁ ଆସି ଏ ସଂପର୍କରେ ଜଣାଇଥିଲେ । ତେବେ ସକାଳେ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ପରିବାର ଲୋକେ ବସନ୍ତଙ୍କୁ ଅପରପକ୍ଷର ଅଭିଯୁକ୍ତମାନେ ମାରି ଫିଙ୍ଗିଦେଇଥିବାର ଅଭିଯୋଗ କରିଥିଲେ । ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗରିଫ କରିବା ନେଇ ବସନ୍ତଙ୍କ ପରିବାର ଓ ତାଙ୍କ ଗ୍ରାମଲୋକଙ୍କ ପକ୍ଷରୁ ସ୍ଥାନୀୟ ଧାମନଗର ଥାନା ସମ୍ମୁଖରେ କିଛି ସମୟ ଧରି ଧାରଣା ଦିଆଯାଇଥିଲା । ଅନ୍ୟପଟେ ଧାମନଗର ପୁଲିସ୍ କେଶ୍ ନଂ ୪୩୮/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏବଂ ପୁଲିସ୍ କଲ୍ୟାଣୀ ପଂଚାୟତ ବନସର ଗ୍ରାମର ଜନୈକ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ବସନ୍ତ ଦୋବଲରେ ନିଜର ଗାଡି ରଖି ରାଣୀପୋଖରୀ ହୁଡାକୁ କେମିତି ଗଲା, କାହା ସହ ଗଲା, ଏବଂ ବସନ୍ତଙ୍କୁ ସେଠାରେ ହତ୍ୟା କରାଯାଇଛି ନା ବୈଠକର ଲଜ୍ଜା ଅନୁଭବ କରି ନିଜେ ଆତ୍ମହତ୍ୟା କରିଛି, ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସହ ପୁଲିସ୍ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ଦିଗରେ ନିରପେକ୍ଷ ତଦନ୍ତ ଦାବି କରିଛି ।