Odiapua.com

ପବିତ୍ର ଶ୍ରୀପଞ୍ଚମୀ ତିଥିରେ ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ନୀତି

ପୁରୀ ୨୬-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ଶ୍ରୀପଞ୍ଚମୀ ତିଥିରେ ୨୦୨୩ ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସାମନାରେ ରଥ ଖଳାରେ ଏହି ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାପାଠ କରାଯାଇଛି। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିଥିଲେ। ପଞ୍ଚାମୃତ, ପୁଷ୍ପ, ନାରୀକେଳ ଓ ମହାପ୍ରଭୁ ଙ୍କ ମହା ପ୍ରସାଦ ଅର୍ପଣ କରାଯାଇ ତିନି କାଠ କୁ ପୂଜା କରାଯାଇଛି। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ର ବରିଷ୍ଠ ଅଧିକାରୀ, ପୁରୀ ଜିଲାପାଳ, ଏସପି ଙ୍କ ସମେତ ଅନେକ ବରିଷ୍ଠ ସେବାୟତ ଏହି ରଥ କାଠ ଅନୁକୂଳ ନୀତି ରେ ଉପସ୍ଥିତ ରହି ପୂଜା ସରିବା ପରେ କାଠ କୁ ମୁଣ୍ଡିଆ ମାରୀ ଚଳିତ ବର୍ଷ ରଥ ଯାତ୍ରା ଭଲ ରେ ହେଉ ବୋଲି ପ୍ରାର୍ଥନା କରାଯାଇଛି। ରଥ କାଠ ଅନୁକୂଳ ନୀତି ଦେଖିବା ପାଇଁ ଶହ ଶହ ଭକ୍ତ ଙ୍କ ଭିଡ଼ ହୋଇ ଥିଲା ପୂଜାସ୍ଥଳରେ। ଜୟ ଜଗନ୍ନାଥ ଧ୍ବନି ରେ ବଡ ଦାଣ୍ଡ ପ୍ରକମ୍ପିତ ହୋଇ ଥିଲା। ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨୧ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ପ୍ରଥମ ପର୍ଯ୍ୟାୟ ରେ ୧୦୪ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି। ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ। ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ କାଠ ଟ୍ରକ୍ ରେ ଆଗାମୀ ଦିନରେ ପୁରୀ କୁ ଅଣାଯିବ। ଆସନ୍ତା ଅକ୍ଷୟ ତୃତୀୟା ତିଥି ରେ ତିନି ରଥ ନିର୍ମାଣ ର ଶୁଭାରମ୍ଭ ହେବ। ରଥ ଖଳା ରେ ତିନି ରଥ ମହାରଣା ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଚଳିତ ବର୍ଷ ରଥଯାତ୍ରା ବିନା ବାଧା ରେ ଶାନ୍ତି ଶୃଙ୍ଖଳା ରେ ହେବା ନେଇ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରୁଛନ୍ତି ଭକ୍ତ ଓ ସେବାୟତ।