Odiapua.com

ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନା ବେଶ : ଦର୍ଶନରୁ ବଂଚିତ ଭକ୍ତ

ପୁରୀ ୧୫ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନା ବେଶ ଦର୍ଶନରୁ ବଂଚିତ ହୋଇ ଛନ୍ତି ଭକ୍ତ। ଏହାକୁ ନେଇ ଭକ୍ତ ବେଶ ନିରାଶ ହୋଇଛନ୍ତି। ସକାଳୁ ଭକ୍ତମାନେ ଶ୍ରୀମନ୍ଦିର ସିଂହ ଦ୍ୱାର ଆସି ପତିତପାବନଙ୍କୁ ମୁଣ୍ଡିଆ ମାରି ନୀଳଚକ୍ରକୁ ଦର୍ଶନ କରି ଫେରୁଛନ୍ତି। ପ୍ରତିବର୍ଷ ଦଶହରାରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ପାଇଁ ବେଶ ଭିଡ଼ ହୋଇ ଥାଏ ଶ୍ରୀମନ୍ଦିରରେ। ତେବେ କୋଭିଡ ପରିସ୍ଥିତିକୁ ଦୃଷ୍ଟି ରେ ରଖାଯାଇ ଭକ୍ତଙ୍କ ସୁରକ୍ଷା ପାଇଁ ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଅଧିକ ଭିଡ଼ ହେଲେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦର୍ଶନ ବନ୍ଦ ରଖାଯାଇଛି। ସେପଟେ ଆସନ୍ତା କାଲି ପୁରୀରେ ଶାରଦୀୟ ଦୁର୍ଗା ପୂଜାରେ ପୂଜା ପାଉଥିବା ଗୋସାଣୀ ଦେବୀଙ୍କ ଭଷାଣ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା କାଲି ଦିନ ୧୨ ଟା ରୁ ଭଷାଣ ଉତ୍ସଵ ଶେଷ ଯାଏ ଶ୍ରୀମନ୍ଦିର ଚାରି ପାଖ ସମେତ ମରିଚିକୋଟ ଛକ ଯାଏଁ ୧୪୪ ଧାରା କଟକଣା ରହିବ। କୌଣସି ଭକ୍ତଙ୍କ ଉପସ୍ଥିତ ରହିବା ପାଇଁ ସୁଯୋଗ ଦିଆଯିବ ନାହିଁ। ଗୋଷାଣୀ ଦେବୀ ଭଷାଣ ଉତ୍ସବ ପୂର୍ବରୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖରେ ସବୁ ଦେବୀ ମୂର୍ତ୍ତି ପହଂଚିବା ପରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ। ପରେ ଶ୍ରୀମନ୍ଦିରରେ ମହାଦୀପ ଉଠିବା ପରେ ମେଢ଼ ଗୁଡ଼ିକୁ ଜଳ ରେ ବିସର୍ଜନ ପାଇଁ ନିଆଯାଇ ଥାଏ। ଏହି ଦେବ ସଭା ଦେଖି ବାକୁ ହଜାର ହଜାର ଭକ୍ତ ବଡ଼ ଦାଣ୍ଡ ରେ ଏକାଠି ହୋଇ ଥାନ୍ତି। ତେବେ ଭିଡ଼ ହେବା ଆଶଙ୍କା କୁ ନେଇ ୧୪୪ ଧାରା ଜାରି କରାଯାଇଛି ପ୍ରଶାସନ ପକ୍ଷରୁ। ତେବେ ଆସନ୍ତା କାଲି ସକାଳୁ ଦିନ ୧୨ ଟା ଯାଏ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ୧୨ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ।