Odiapua.com

ପନ୍ଦାଡୋ-ଓଲଡାଙ୍ଗ ରାସ୍ତା ଶୋଚନୀୟ

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ଆଡିଆ ପଂଚାୟତସ୍ଥିତ ପନ୍ଦାଡୋ-ଓଲଡାଙ୍ଗ ରାସ୍ତାଟି ଶୋଚନୀୟ ହୋଇପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଗତ ୨୦୧୪ ମସିହାରେ ଅର୍ଥ ମଂଜୁର ହୋଇ ମୋରମ ବିଛା କାର୍ଯ୍ୟ ହୋଇଥିଲା । ଓଲଡାଙ୍ଗ ସମେତ ଆଖପାଖ ଅନ୍ୟାନ୍ୟ ଗ୍ରାମବାସୀମାନେ ଏହି ରାସ୍ତାଦେଇ ପ୍ରତିଦିନ ଯାଆଆସ କରିଥାନ୍ତି । ବର୍ତ୍ତମାନ ରାସ୍ତାର ଅବସ୍ଥା ଏପରି ଯେ ତାହା ନିର୍ମାଣ ହେବା ପୂର୍ବରୁ ଗ୍ରାମବାସୀମାନେ ବରଂ ସୁବିଧାରେ ଯାଇପାରୁଥିଲେ । ମାତ୍ର ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବାରୁ ବର୍ତ୍ତମାନ ଗ୍ରାମବାସୀଙ୍କର ଏହି ରାସ୍ତାରେ ଯାଆଆସ କ୍ଷେତ୍ରରେ ଅବସ୍ଥା ସାଂଘାତିକ ହୋଇପଡିଛି । ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ନାନାଦି ସମସ୍ୟା ସୃଷ୍ଟି ହେବା ସହିତ ବର୍ଷା ପାଣି ଘର ମଧ୍ୟକୁ ପଶିଯାଉଛି । ଏହି ରାସ୍ତା ଦେଇ ସାଇକେଲ୍‌ଟିଏ ଠିକ୍ ଭାବରେ ଯାଇପାରୁନାହିଁ । ଦମକଳ ଗାଡି ହେଉ ବା ଆମ୍ବୁଲାନ୍ସ ପରି ଅତି ଜରୁରୀ ଗାଡି ଯିବା ଅସମ୍ଭବ ହୋଇପଡୁଛି । ଯଦ୍ୱାରା ଅକାଳରେ ଧନଜୀବନ କ୍ଷୟକ୍ଷତି ଘଟୁଛି । ଗ୍ରାମର ଅଧିକାଂଶ ସ୍ଥାନରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି । ଏହାଫଳରେ ଶଗଡ କିମ୍ବା ରିକ୍ସାଟିଏ ନିରାପଦରେ ଯାଇପାରୁନାହିଁ । ଏହିପରି ତୃଟିପୂର୍ଣ୍ଣ ତଥା ନିମ୍ନମାନର କାର୍ଯ୍ୟ ସଂପର୍କରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଗ୍ରାମବାସୀମାନେ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରିନଥିଲା । ଏହି ରାସ୍ତାଟି ପିଏମ୍‌ଜିଏସ୍‌ୱାଇରେ ଭର୍ତ୍ତି କରାଯାଇଥିବାର ସୂଚନା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଦେଇଥିଲେ ମଧ୍ୟ ଆଜିସୁଦ୍ଧା ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ ।