Odiapua.com

ସାମ୍ବାଦିକ କିଶୋର ଦ୍ଵିବେଦୀଙ୍କର ମାତୃ ବିୟୋଗ

ଭୁବନେଶ୍ୱର /କଟକ/ନୂଆଦିଲ୍ଲୀ, ୧୫/୫ (ଓଡ଼ିଆ ପୁଅ) ବିଶ୍ୱ ଓଡ଼ିଶା ସମାଜ ର ଅଧ୍ୟକ୍ଷ ଏବଂ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଙ୍କ ର ମାଆ ଶ୍ରୀମତୀ ଶ୍ରୀମନ୍ତିନୀ ଦ୍ବିବେଦୀ ଙ୍କର ନିଧନ ଘଟିଛି। ୮୬ ବର୍ଷୀୟ ଶ୍ରୀମତୀ ଦ୍ବିବେଦୀ କିଛି ଦିନ ଧରି ଅସୁସ୍ଥ ଥିଲେ। ଶୁକ୍ରବାର ରାତି ୧୧.୧୫ ମିନିଟରେ ଯାଜପୁର ଜିଲ୍ଲା ର ବରୀ ସ୍ଥିତ ତାଙ୍କର ପୈତୃକ ବାସ ଭବନ ଠାରେ ଶ୍ରୀମତୀ ଦ୍ବିବେଦୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀମତୀ ଦ୍ବିବେଦୀ ଙ୍କ ର ସ୍ୱାମୀ ସ୍ବର୍ଗତ ଗୋକୁଳ ଚନ୍ଦ୍ର ଦ୍ବିବେଦୀ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ଭାବରେ ବରୀ ଅଞ୍ଚଳ ଓ ଯାଜପୁର ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଶ୍ରୀମନ୍ତିନୀ ଦ୍ବିବେଦୀ ଏକାଧାରରେ ନିଷ୍କପଟ, ମିଷ୍ଟ ଭାଷୀ, ଦୟାଳୁ, ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ। ରାମପୁରର ସଂଭ୍ରାନ୍ତ ମୁକ୍ତିଆର ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଦ୍ବିବେଦୀ କଳା ସଂସ୍କୃତି ପ୍ରେମୀ ଥିଲେ ଏବଂ ସମାଜସେବା କ୍ଷେତ୍ରରେ ବହୁତ ରୁଚି ରଖୁଥିଲେ। ଦ୍ବିବେଦୀ ଦମ୍ପତିଙ୍କର ୫ ଝିଅ, ୩ ପୁଅ ଅଛନ୍ତି। ବଡ଼ପୁଅ କିଶୋର ଦ୍ବିବେଦୀ, ଏବେ ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅଛନ୍ତି ଓ ବହୁ ଦିନ ଧରି ଦିଲ୍ଲୀରେ ସାମ୍ବାଦିକତା କରି ଆସୁଛନ୍ତି। ଅନ୍ୟ ଦୁଇ ପୁଅ କାମିନୀ କାନ୍ତ, ଶ୍ରୀକାନ୍ତ ତଥା ଝିଅ ସାବିତ୍ରୀ ଦାଶ, ସତ୍ୟଭାମା ତ୍ରିପାଠୀ, ସୁଷମା ମିଶ୍ର, ଅନୁପମା ପତି ଏବଂ ଚନ୍ଦ୍ରମା ସାହୁ ନିଜ ନିଜର କାର୍ଯ୍ୟକ୍ଷେତ୍ର ରେ ଖୁବ ଖ୍ୟାତି ଅର୍ଜନ କରିଛନ୍ତି।

ଶନିବାର ଦିନ ସକାଳେ ତାଙ୍କର ନିଜ ଗ୍ରାମରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ଶ୍ରୀମତୀ ଦ୍ବିବେଦୀ ଙ୍କର ବିୟୋଗରେ ସମଗ୍ର ବରୀ ଅଞ୍ଚଳ, ଓଡ଼ିଶାର ସାମ୍ବାଦିକ ଜଗତ, ଦିଲ୍ଲୀର ପ୍ରବାସୀ ଓଡ଼ିଆ ମହଲ ଏବଂ ବିଶ୍ୱର ବିଭିନ୍ନ ଦେଶ ର ଓଡ଼ିଆ ସମାଜର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି। ଶୋକ ପ୍ରକାଶ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଭାରତ ର କମ୍ପ୍ରଟୋଲର ଅଡିଟର ଜେନେରାଲ ଗିରିଶ ଚନ୍ଦ୍ର ମୁର୍ମୁ, ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ବିଶ୍ୱ ଭୂଷଣ ହରି ଚନ୍ଦନ, ଓଡ଼ିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରିଜର୍ଭ ବ୍ୟାଙ୍କ ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ରାଜ୍ୟ ମନ୍ତ୍ରୀ ନବ ଦାସ, ସୁଶାନ୍ତ ସିଂହ, ତୁଷାରକାନ୍ତି ବେହେରା, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଜୁଏଲଓରାମ, ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟନାୟକ, ବିଜେପି ର ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ର ପୁର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା କେ.ଭି ସିଂହଦେଓ, ସାଂସଦ ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ସୁସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ସଙ୍ଗୀତା ସିଂହଦେଓ ଓ ରମେଶ ଚନ୍ଦ୍ର ରତ୍ନ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।