Odiapua.com

ପଥ ବିକ୍ରେତା ସଂଘର ଦୁଃଖ ଶୁଣିଲେ ସଦର ବିଧାୟକ: ‘ଆଗ ଥାଇଥାନ ପରେ ହେବ ଉଚ୍ଛେଦ’

ବାଲେଶ୍ୱର, ୫ା୨ (ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘବର୍ଷ ଧରି ସହର ରାସ୍ତା ପାଶ୍ୱର୍ରେ ବ୍ୟବସାୟ କରିଆସୁଥିବା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପୌରପାଳିକାର ନୋଟିସ ପରେ ସେମାନଙ୍କ ଦୁଃଖ ଶୁଣିଛନ୍ତି ବାଲେଶ୍ୱର ସଦର ବିଧାୟକ। ଏନେଇ ଓଡ଼ିଶା ପଥ ବିକ୍ରେତା ସଂଘ, ବାଲେଶ୍ୱର ଟାଉନ ଶାଖାର ଏକ ବୈଠକ ସିନେମା ଛକଠାରେ ଆୟୋଜିତ ହୋଇଯାଇଛି। ସଦର ବିଧାୟକ ସ୍ୱରୂପ ଦାସ ଏହି ବୈଠକରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ରାସ୍ତାପାର୍ଶ୍ୱ ଦୋକାନୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବିଶେଷ କରି ରାସ୍ତାପାର୍ଶ୍ୱ ଦୋକାନୀଙ୍କ ଜୀବିକା ସୁରକ୍ଷା ଦେବା ନେଇ ସରକାରଙ୍କ ସମସ୍ତ ନିୟମ ପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାତ୍ର ବାଲେଶ୍ୱର ପୌରପାଳିକା ପକ୍ଷରୁ ଏହି ନିୟମ ପାଳନ ହେଉ ନଥିବା ଜାଣି ବିଧାୟକ ଶ୍ରୀ ଦାସ ଉଦବେଗ ପ୍ରକାଶ କରିଥିଲେ। ବିଶେଷ କରି କରୋନା ସ୍ଥିତିରୁ ମୁକୁଳିବା ପାଇଁ ସରକାରଙ୍କ ପକ୍ଷରୁ ପଥପାର୍ଶ୍ୱ ଦୋକାନୀଙ୍କ ନିମନ୍ତେ ମିଳିଥିବା ୩ହଜାର ଲେଖାଏଁ ଟଙ୍କା ପ୍ରଦାନରେ ପୌର କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ସମସ୍ତ ରାସ୍ତାପାର୍ଶ୍ୱ ଦୋକାନୀଙ୍କୁ ପଞ୍ଜୀକରଣ କରିବା ଓ ସେମାନଙ୍କୁ ସରକାରୀ ପ୍ରଦତ୍ତ ସହାୟତା ପ୍ରଦାନ ଦିଗରେ ସେ ଉଚିତ ପଦକ୍ଷେପ ନେବେ ବୋଲି କହିଥିଲେ। ଅନ୍ୟପକ୍ଷରେ ବିନା ଥଇଥାନରେ କୌଣସି ଦୋକାନୀଙ୍କୁ ରାସ୍ତାପାଶ୍ୱର୍ରୁ ଉଚ୍ଛେଦ କରାଯିବ ନାହିଁ ବୋଲି ବିଧାୟକ ଶ୍ରୀ ଦାସ ପ୍ର୍‍ତିଶ୍ରୁତି ଦେଇଥିଲେ। ବିଜେଡି ଟାଉନ ସଭାପତି ସନତ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ଯୁବନେତା ସଂଜୀବ ଦାସ, ପୂର୍ବତନ କାଉନସିଲର ଲକ୍ଷ୍ମଣ ବେହେରା ଓ ମୁନା ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ ପଥ ବିକ୍ରେତାଙ୍କ ବିଭିନ୍ନ ସମସ୍ୟା ଏବଂ ତା’ର ନିରାକରଣର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ପଥବିକ୍ରେତା ସଂଘର ଟାଉନ ସମ୍ପାଦକ ମୋହିନୀ ମୋହନ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକ ପରିଚାଳନାରେ ଉପ-ସଭାପତି ଆବିଦ୍‍ ଖାଁ, ପୂୂର୍ଣ୍ଣଚନ୍ଦ୍ର ଦାସ, ବଳରାମ ପୃଷ୍ଟି, ଶେଖ ରିଆଜ, ଶେଖ ଆଲ୍ଲାଉଦ୍ଦିନ, ଶେଖ ସଲିମ, ପ୍ରଦୀପ କର, ପ୍ରେମ ପାଣ୍ଡେ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।