Odiapua.com

ପଥର ସ୍ପର ନିକଟରୁ ଲୁଟ ହେଉଛି ବାଲି , ବିପଦ ଆଶଙ୍କାରେ କୁମ୍ଭାରିଆ

ଭଦ୍ରକ, ୧୧ା୬ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ନଦୀରୁ ଦୈନିକ ବେଆଇନ ବାଲି ଉତୋଳନ ଓ ପରିବହନ ଘଟଣା ନିତିଦିନିଆ ହୋଇଛି। ବଳିପୁରଠାରୁ ଆରମ୍ଭ କରି ବନ୍ଦାଳ,ମଢିଆଳୀ , ଝୁଟଣା, ବନସ୍ତା, ଜଗନ୍ନାଥ ପ୍ରସାଦ,ମଣିନାଥପୁର, ମୁଢାପଦା ଆଦି ବିଭିନ୍ନ ସ୍ଥାନରେ ବେଆଇନ ବାଲି ଉତୋଳନ ଓ ଚାଲାଣ ହେଉଛି। ଏଭଳି ବେଆଇନ ଚାଲାଣ ବର୍ଷ ବର୍ଷ ଧରି ଲାଗି ରହିଛି। ପ୍ରଶାସନିକ ତନାଘନା ପରେ ଯଦିଓ ଏସବୁ ସ୍ଥାନରୁ ବାଲି ପରିବହନ ହ୍ରାସ ପାଇଛି କିନ୍ତୁ ଅନ୍ୟ କିଛି ସ୍ଥାନରେ ଯୋରଦାର ଚୋରା ଚାଲାଣ ଆରମ୍ଭ ହୋଇଛି।ରାତି କଥା ଦୂରେ ଥାଉ ଦିବାଲୋକରେ ବି ମାଫିଆ ମାନେ ବାଲି ଉତୋଳନ କରି ଚାଲାଣ କରୁଛନ୍ତି। ନିକଟସ୍ଥ ଗାଁ ଓ ନଦୀବନ୍ଧ ସୁରକ୍ଷା ପ୍ରତି ମଧ୍ୟ ଧାନ ଦେଉନାହାନ୍ତି।ବାଲି ପୋଖରୀ ପଂଚାୟତ କୁମ୍ଭାରିଆ ଗାଁ ନିକଟସ୍ଥ ନଦୀ ଗୋଡା ଠାରୁ ଦୈନିକ ବାଲି ଖୋଳା ଯାଉଛି। ସ୍ଥାନୀୟ ଟ୍ରାକ୍ଟର ମାଲିକ ଓ କିଛି ଅସାଧୁ ବ୍ୟକ୍ତି ସଲାସୁତୁରା ହୋଇ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଗ୍ରାମର ବୁଦ୍ଧିଜୀବୀମାନେ ଜଣାଇଛନ୍ତି।ନଦୀ ତଟ ସୁରକ୍ଷା ପାଇଁ ନିର୍ମିତ ହୋଇଥିବା ପଥର ସ୍ପର ଓ ପ୍ୟାକିଙ୍ଗ ନିକଟରୁ ଅତି ବେପରୁଆ ଭାବେ ବାଲି ଖୋଳା ଯାଉଛି। ନଦୀରେ ପାଣି ଆସିଲେ ପଥର ବନ୍ଧ ଭାସିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।ଦିବାଲୋକରେ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିଲେ ମଧ୍ୟ କେହି ଏହାକୁ ରୋକୁ ନାହାନ୍ତି। କିଛି ସଚେତନ ନାଗରିକ ପ୍ରତିବାଦ ସ୍ୱରୂପ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ଚୋରା ଚାଲାଣ ରୋକିବା ତହସିଲ କାମ ନୁହେଁ ଅଧିକାରୀ ମାନେ କହୁଛନ୍ତି। ଲଘୁ ଖଣିଜ ସମ୍ପଦ ବିଭାଗ ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।ଏପଟେ ନଦୀବନ୍ଧ ତଥା ନଦୀ ଗୋଡା କ୍ଷତିଗ୍ରସ୍ତ ହେଉଥିବା ବେଳେ ଦ୍ରୁତ ଗତିରେ ବାଲି ଗାଡି ଚଳାଚଳ କରୁଥିବା କାରଣରୁ ଦୁର୍ଘଟଣାର ଆଶଙ୍କା ରହିଛି ବାଲି ଚୋରା ଚାଲାଣ ଘଟଣାକୁ ନେଇ ଗାଆଁରେ ଏକପ୍ରକାର ଚାପା ଉତେଜନା ମଧ୍ୟ ସୃଷ୍ଟି ହୋଇଛି। ଗ୍ରାମରେ ଅଶାନ୍ତ ବାତାବରଣ ଆରମ୍ଭ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହା ଉପରେ ସ୍ଥାନୀୟ ଥାନା, ଖଣିନିଗମ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।