Odiapua.com

ପତ୍ନୀ ଓ ପୁଅକୁ ଉଦ୍ଧାର ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ୱାମୀର ନିବେଦନ

କେନ୍ଦ୍ରାପଡ଼ା ୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପତ୍ନୀ ଓ ବାଳୁତ ପୁଅକୁ ତୁରନ୍ତ ଉଦ୍ଧାର କରାଯିବା ପାଇଁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି ସ୍ୱାମୀ। ଦୀର୍ଘ ୭ମାସରୁ ଉର୍ଦ୍ଧ୍ୱ ସମୟ ଧରି ଉଭୟ ପତ୍ନୀ ଓ ପୁଅ ଙ୍କୁ ପୋଲିସ ଉଦ୍ଧାର କରିନଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପୋଇଲୋ ଗ୍ରାମର ଶ୍ରୀଚରଣ ବେହେରା ଗତ ୨୦୧୫ମସିହା ମଇମାସ ୧୫ତାରିଖରେ ଜଗତସିଂହପୁର ଜିଲ୍ଲାର ଅଢଙ୍ଗାଗଡ(ସୋଲାସାହି) ଗ୍ରାମର ବାବାଜି ଦାସଙ୍କ ଝିଅ ମାନସୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ଗର୍ଭରୁ ଅନନ୍ତ ନାମରେ ଏକ ଶିଶୁପୁତ୍ର ମଧ୍ୟ ଜନ୍ମ ନେଇଥିଲା। ତାଙ୍କ ପରିବାରଟି ଶାନ୍ତିରେ କାଳାତିପାତ କରୁଥିବା ବେଳେ ଚଳିତବର୍ଷ ଫେବୃୟାରୀମାସ ୨୧ତାରିଖ ରାତି ପ୍ରାୟ ୯ଟା ସମୟରେ ପତ୍ନୀ ଓ ପୁଅ ଘରେ ନଥିବାର ଦେଖି ଶ୍ରୀଚରଣ ଗ୍ରାମ ସମେତ ବନ୍ଧୁବାନ୍ଧବ ଏବଂ ଶ୍ୱଶୁର ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠାରେ ବି ସେମାନଙ୍କୁ ପାଇ ନଥିଲେ। ପରେ ଶ୍ୱଶୁର ବାବାଜିଙ୍କ ଠାରୁ ଖବର ପାଇଥିଲେ ଯେ ଟାଉନ ଥାନା ଅନ୍ତର୍ଗତ ଭ୍ରମରଦିଆପାଟଣା ଗ୍ରାମର ପ୍ରଶାନ୍ତ କୁମାର ମହାରଣା ଫେସବୁକରେ ଶ୍ରୀଚରଣଙ୍କ ପତ୍ନୀ ମାନସୀ ସହ ସମ୍ପର୍କ ରଖି ବିବାହର ପ୍ରଲୋଭନ ଦେଖାଇ ମନ୍ଦ ଉଦେଶ୍ୟ ରଖି ପୋଇଲୋସ୍ଥିତ ବାସଭବନରୁ ଉଠାଇ ନେଇଛି। ଏଥିସହିତ ଏକ ଆବଦ୍ଧ ଘର ମଧ୍ୟରେ ମାନସୀକୁ ରଖି ତାକୁ ଯୈାନ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସମ୍ପର୍କରେ ଶ୍ୱଶୁର ବାବାଜିଙ୍କ ଠାରୁ ଶ୍ରୀଚରଣ ଖବର ପାଇଥିଲେ। ଶ୍ରୀଚରଣ ଗତ ମାର୍ଚ୍ଚମାସ ୩୧ତାରିଖରେ ପ୍ରଶାନ୍ତ ମହାରଣା ନିକଟରେ ପହଞ୍ଚି ତାକୁ ପଚାରିବାରେ ପ୍ରଶାନ୍ତ ଅଶ୍ଳିଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡମାରି ଭୂଜାଲି ଧରି ଜୀବନରେ ମାରିଦେବାକୁ ଗୋଡାଇଥିଲେ ବୋଲି ଶ୍ରୀଚରଣ ଅଭିଯୋଗ କରିଛନ୍ତି। ତେଣୁ ସେ ଜୀବନବିକଳରେ ସେଠାରୁ ପଳାଇଆସି କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ତାଙ୍କ ପତ୍ନୀ ଓ ପୁଅକୁ ଉଦ୍ଧାର କରିବା ନିମନ୍ତେ ପୋଲିସକୁ ନିର୍ଦେଶ ଦେବାକୁ ଏକ ୧ସିସି ମାମଲା ଗତ ଅପ୍ରେଲମାସ ୫ତାରିଖରେ ଦାୟର କରିଥିଲେ। କେନ୍ଦ୍ରାପଡା ଏସଡିଜେଏମ ଗତ ଅପ୍ରେଲମାସ ୭ତାରିଖରେ ଶ୍ରୀଚରଣଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଜୁଲାଇମାସ ପହିଲା ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ପାଟକୁରା ଥାନା ଅଧିକାରୀଙ୍କୁ ଫୈାଜଦାରୀ ଦଣ୍ଡବିଧୀ ଆଇନର ୧୫୬(୩) ଧାରାରେ ନିର୍ଦେଶ ଦେଇଥିଲେ। କିନ୍ତୁ ପାଟକୁରା ଥାନା ପୋଲିସ କୋର୍ଟଙ୍କ ସେହି ନିର୍ଦେଶ ଉପରେ ୪ମାସ ୨୦ଦିନ ପରେ ଅର୍ଥାତ ଗତ ଅଗଷ୍ଟମାସ ୨୭ତାରିଖରେ ଆଇପିସିର ଧାରା ୩୬୫, ୩୪୧, ୨୯୪, ୩୨୩, ୫୦୬ ଓ ୩୪ଦଫାରେ ଥାନା କେଶ ନମ୍ବର – ୪୧୭ରେ ଏକ ମାମଲା ରୁଜୁ କରିଦେଇ ଚୁପ ହୋଇ ବସିଥିବା ଶ୍ରୀଚରଣ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ପତ୍ନୀ କିମ୍ବା ପୁଅକୁ ଅଦ୍ୟାବଧି ପୋଲିସ ଉଦ୍ଧାର କରିନଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବାକୁ ଶ୍ରୀଚରଣ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି।