Odiapua.com

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍ ଆଶିଷ କୁମାର ତ୍ରିପାଠୀ ଏକ ହତ୍ୟା ମାମଲାର ବିଚାର କରି ବାସୁଦେବପୁର ଥାନା ଅନ୍ତର୍ଗତ ବିଷ୍ଣୁବିନ୍ଧା ଗ୍ରାମର ଅଗଣୀ ବେହେରାଙ୍କ ପୁତ୍ର ମଧୁସୂଦନ ବେହେରା (୪୫) କୁ ପିଙ୍ଗଳ କୋଡର ଦଫା ୩୦୨ ରେ ଆଜୀବନ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ପୁଣି ୩ ମାସ ସଶ୍ରମ କାରାଦଣ୍ଡ, ୪୯୮ (କ) ରେ ୩ ବର୍ଷ କାରାଦଣ୍ଡ ଓ ୩ ହଜାର ଟଙ୍କା ଓ ଅନାଦେୟ ପୁଣି ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଆଇନ୍ ଅନୁଯାୟୀ ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇଥିବାରୁ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡ ଭୋଗିବେ। ସୂଚନା ଅନୁସାରେ ମଧୁସୂଦନ ସିମୁଳିଆ ଥାନା ଅନ୍ତର୍ଗତ ଘଇଁସିବାଟି ଗ୍ରାମର ପଞ୍ଚାନନ ଲେଙ୍କାଙ୍କ କନ୍ୟା ଖୁଲାଣାକୁ ବିବାହ କରିଥିଲେ। ବିବାହ ପରେ ୨ ଗୋଟି ପିଲାର ବାପା ମଧୁସୂଦନ ନିଜର ପତ୍ନୀକୁ ଅଧିକ ଯୌତୁକ ଦାବି କରି ନିଜ ମାତା ନାଣ୍ଡି ପ୍ରରୋଚନାରେ ପଡି ନିର୍ଯ୍ୟାତନା ଦେଇ ଆସୁଥିଲା। ଉଭୟ ସ୍ୱାମୀ-ସ୍ତ୍ରୀ ଗତ ୨୦୧୬ ମସିହା ଫେବୃୟାରୀ ୧୨ ତାରିଖରେ ନିଜ ବେଡରୁମ୍‌ରେ ରାତିରେ ଶୋଇଥିବା ସମୟେ ସ୍ୱାମୀ ମଧୁସୂଦନ ଖୁଲଣାକୁ ଏକ ଧାରୁଆ କତାରେ ହାଣି ଜୀବନରୁ ମାରି ଦେଇଥିବାର ଅଭିଯୋଗ କରି ଖୁଲଣାର ଭାଇ ମନ୍ମଥ ତା ପରଦିନ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ବାସୁଦେବପୁର ଥାନା କେଶ୍ ନଂ ୪୨/୧୬, ଦଫା ୪୯୮ (କ) / ୩୦୨ / ୪୦୬ ରେ ଏକ ମାମଲା ରୁଜୁ କରି ମଧୁସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଧୁସୂଦନ ବିଚାରାଧୀନ ବନ୍ଦୀ ଭାବରେ ଜେଲ୍‌ରେ ଅଟକ ଥିବା ବେଳେ ନିଜର ୨ ପୁଅ ବାପା ବିରୁଦ୍ଧରେ ସାକ୍ଷୀ ଦେଇଥିଲେ। ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିଲେ ମଧ୍ୟ ପାରିପାର୍ଶ୍ୱିକ ସାକ୍ଷୀମାନଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ମଧୁସୂଦନକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ପ୍ରଦୀପ ସାମଲ, ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।