Odiapua.com

ପତ୍ନୀକୁ କିରୋସିନ ଢାଳି ହତ୍ୟା ମାମଲା : ସ୍ୱାମୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ

କେନ୍ଦ୍ରାପଡ଼ା, ୧୮ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ଜିଲ୍ଲା ଓ ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା ଏକ ହତ୍ୟା ମାମଲାର ବିଚାରକରି ସୋମବାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ସ୍ୱାମୀ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମର ବ୍ରଜ କିଶୋର ଦାସ। ବ୍ରଜ କିଶୋର ତାଙ୍କ ପତ୍ନୀ ରଞ୍ଜିତା ଦାସଙ୍କୁ ୨୦୧୨ ମସିହା ଫେବୃୟାରୀ ୨୫ ତାରିଖରେ କିରୋସିନ ଢାଳି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ବ୍ରଜକିଶୋରଙ୍କୁ ତାଙ୍କର ଦୁଇ ଜଣ ସମ୍ପର୍କୀୟ ସରୋଜ ଦାସ ଓ ଖୁଲଣା ଦାସ ସହଯୋଗ କରିଥିଲେ। କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ଦୁଇଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ରଞ୍ଜିତାଙ୍କୁ ଅଧିକ ଯୌତୁକ ଦାବି କରି ବ୍ରଜ କିଶୋର ଓ ତାଙ୍କ ପରିବାର ପକ୍ଷରୁ ଅନେକ ସମୟରେ ନିର୍ଯ୍ୟାତନା ଦିଆଯାଉଥିଲା। ଏ ସଂକ୍ରାନ୍ତରେ ରଞ୍ଜିତା ବାପ ଘରେ କହିଥିଲେ। ବାପ ଘର ଲୋକେ ଶାଶୁଘରକୁ ଆସି ବୁଝାସୁଝା କରି ଯାଉଥିଲେ। ହେଲେ ଶାଶୁଘର ପକ୍ଷରୁ ରଙ୍ଗୀନ ଟିଭି ଓ ଆଉ ୧୦ ହଜାର ଟଙ୍କା ଅଧିକ ଦାବି କରାଯାଇଥିଲା। କିନ୍ତୁ ଏହା ଦେବାରେ ରଞ୍ଜିତାଙ୍କ ବାପ ଘର ଲୋକ ସମର୍ଥ ନହେବାରୁ ରଞ୍ଜିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ବ୍ରଜକିଶୋର ଯୋଜନା କରିଥିଲେ। ୨୦୧୨ ମସିହା ଫେବୃୟାରୀ ମାସ ୨୫ ତାରିଖ ରଞ୍ଜିତାଙ୍କ ପାଇଁ ଥିଲା ଶେଷ ଦିନ। କାରଣ ସେହି ଦିନ ବ୍ରଜକିଶୋର ଓ ତାଙ୍କ ସହଯୋଗୀ ସରୋଜ ଏବଂ ଖୁଲଣା କିରୋସିନ ଢାଳି ରଞ୍ଜିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଭାବେ ଆହତ ରଞ୍ଜିତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ପାଟକୁରା ଥାନାରେ ଦଫା ୪୯୮(ଏ), ୩୦୪(ବି), ୩୦୨, ୫୦୬, ୩୪ ଆଇପିସି ଓ ୪ ଡିପି ଆକ୍ଟରେ ଏକ ମାମଲା କେଶ ନମ୍ବର ୩୯/୨୦୧୨ରେ ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଚାଲିଥିଲା। ସେହି ଘଟଣାରେ ପୋଲିସ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ମାମଲାର ଶୁଣାଣି ବେଳେ ଅଦାଲତରେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହି ମାମଲାର ଶୁଣାଣି କରି କେନ୍ଦ୍ରାପଡା ଜିଲ୍ଲା ଓ ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା ଅଭିଯୁକ୍ତ ବ୍ରଜକିଶୋର ଦାସଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତ ଆଉ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ଜିଲ୍ଲାଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦିଆଯାଇଛି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସ ରଞ୍ଜନ ବେହେରା ମାମଲାର ପରିଚାଳନା କରୁଥିଲେ।