Odiapua.com

ପତିଆରା ଅକ୍ଷୁର୍ଣ୍ଣ ପାଇଁ ତେର୍ଚ୍ଛା ବାଣ

ନୟାଗଡ଼ ଜିଲ୍ଲାରେ ଚାରିଗୋଟି ବିଧାନସଭା ନିର୍ବାଚାନ ମଣ୍ଡଳୀ। ନୟାଗଡ଼, ରଣପୁର, ଦଶପଲ୍ଲା ଓ ଖଣ୍ଡପଡ଼ା। ରାଜନୈତିକ ପରମ୍ପରା ଯାହା କହୁଛି କେବଳ ନୟାଗଡ଼କୁ ଛାଡି ଦେଲେ ଆଉ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ଥର ଶାସକ ଦଳର ବିଧାୟକ ପ୍ରାଥୀ ରିପିଟ ହେବାର ନାହିଁ। ଭାଗବତ ବେହେରାଙ୍କ ଠାରୁ ଏହି ପରମ୍ପରା ଚାଲି ଆସିଛି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଏଥର ଖଣ୍ଡପଡ଼ାରେ ସୌମ୍ୟରଞ୍ଜନ ପଟ୍ଟନାୟକ ଆଉ ବିଜେଡ଼ି ଟିକଟ ପାଇବେ ନାହିଁ। ଏହା ଏକ ପ୍ରକାର ନିଶ୍ଚିତ। ଗତ ଥର ଶ୍ରୀ ପଟ୍ଟନାୟକ ଶେଷ ମୁହୂର୍ତ୍ତରେ ଖଣ୍ଡପଡ଼ା ଟିକଟ ପାଇଥିଲେ। କାରଣ ପୂର୍ବରୁ ସେ ବିଭିନ୍ନ ଦଳରୁ ଖଣ୍ଡପଡ଼ାରେ ନିର୍ବାଚନ ଲଢ଼ି ପରାଜୟ ବରଣ କରି ସାରିଥିଲେ। ଶେଷରେ ବିଜେଡ଼ିରେ ଯୋଗ ଦେଇ ରାଜ୍ୟସଭା ଯାଇଥିଲେ। ମାତ୍ର ବାରମ୍ବାର ଖଣ୍ଡପଡ଼ାରୁ ନିର୍ବାଚନ ହାରିଥିବାରୁ ଥରୁଟିଏ ସେଠାକାର ବିଧାୟକ ହେବା ପାଇଁ ସେ ଦଳ ହାଇକମାଣ୍ଡଙ୍କ ନିକଟରେ ଅନୁରୋଧ କରିଥିଲେ। ଅନେକ ଘଣ୍ଟାଚକତା ପରେ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକଟ ଦିଆ ଯାଇଥିଲା। ଖଣ୍ଡପଡ଼ା ଯେହେତୁ ବିଜେଡିର ଗଡ଼ ତେଣୁ ବହୁଳ ବ୍ୟବଧାନରେ ସେ ନିର୍ବାଚନ ଜିତିକରି ଆସିଥିଲେ। ମାତ୍ର ତା’ ପରେ ନିର୍ବାଚନମଣ୍ଡଳୀକୁ ସେ ଯେପରି ଅବହେଳା କଲେ ବିଗତ ଚାରି ବର୍ଷରେ ଖଣ୍ଡପଡ଼ାବାସୀ ହୃଦୟଗମ କଲେ ଆମେ ବୋଧ ହୁଏ ଭୁଲ କରିଦେଲୁ। ସେଥିପାଇଁ ସୌମ୍ୟ ବାବୁଙ୍କୁ ଆଗରୁ ଭୋଟ ଦେଉନଥିଲୁ। ଦଳର ନିଷ୍ପତି ସପକ୍ଷରେ ଗଲୁ ଶେଷକୁ ଭୋଗିଲୁ। ଆଜି ଖଣ୍ଡପଡ଼ାରେ ବିଜେଡ଼ି ଭାଗ ଭାଗ। ତେଣୁ ଯେହେତୁ ସୌମ୍ୟ ବାବୁ ଜାଣି ସାରିଲେଣି ଖଣ୍ଡପଡ଼ାରେ ତାଙ୍କ ଯାଦୁ ଆଉ ଚଳିବ ନାହିଁ ତେଣୁ ତେର୍ଚ୍ଛା ବାଣ ମାରିବା ଆରମ୍ଭ କରିସାରିଲେଣି। ମାତ୍ର ସେ ଭଲ ଭାବରେ ଜାଣି ସାରିଛନ୍ତି ଯେ ବିଜେଡ଼ିରେ ତେର୍ଚ୍ଛା ବାଣର କିଛି ପ୍ରଭାବ ପଡ଼ିବ ନାହିଁ।

ରାଜନୀତିରେ ନିଜ ପତିଆରା ପାଇଁ ଆଗରୁ କେତେ ଥର ଏମିତି ତେର୍ଚ୍ଛା ବାଣ ଛାଡ଼ିଛନ୍ତି ସୌମ୍ୟ। କିଛି ଫଳପ୍ରଦ ହୋଇନାହିଁ। କାରଣ ‘ ଖବର କାଗଜ ମାଧ୍ୟ୍ୟମରେ ରାଜନୀତି କରିବାର ଯୁଗ ଶେଷ ‘ ଏହି ସଂଳାପରୁ ସେ ଏ ପର୍ଯ୍ୟନ୍ତ ବାହାରି ପାରୁନାହାନ୍ତି। କ୍ଷମତାରେ ବସିବା ପାଇଁ ଦଳବଦଳ ରାଜନୀତିର ସେ ହେଉଛନ୍ତି ମୁଖ୍ୟ କର୍ଣ୍ଣଧାର ଓଡ଼ିଶାରେ। ନିଜେ କ୍ଷମତାରେ ରହିବେ ଓ ନିଜ ପରିବାର ଲୋକଙ୍କୁ ମଧ୍ୟ କ୍ଷମତାରେ ରଖିବେ। ନିଜ ଝିଅଙ୍କୁ ଭୁବନେଶ୍ୱର ମେୟର କରିବା ପାଇଁ ଆପ୍ରାଣ ଉଦ୍ୟମ କଲେ। ଫେଲ ମାରିଲେ। ଖଣ୍ଡପଡ଼ାରେ ଅସ୍ଥିତ୍ୱ ବଳବତ୍ତର ରଖିବାର ଥିଲା ତ ଦଳ ଓ ନିର୍ବାଚନମଣ୍ଡଳୀକୁ ଗୁରୁତ୍ୱ ଦେବାର ଥିଲା। ବର୍ତ୍ତମାନ ନେଡ଼ି ଗୁଡ଼ କହୁଣିକୁ ବୋହି ସାରିଲାଣି ତେଣୁ ତେର୍ଚ୍ଛା ବାଣ ଆଉ କାମ କରିବ ନାହିଁ ବୋଲି ଖଣ୍ଡପଡ଼ାର ସ୍ୱାଭିମାନୀ ଜନତା ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି।

ସୌମ୍ୟଙ୍କ ଦେଖାଦେଖି ବିଜେଡ଼ିର ଆଉ ଜଣେ ସାଂସଦ ଏବେ ତେର୍ଚ୍ଚା ବାଣ ମାରିବା ଆରମ୍ଭ କଲେଣି। ସେ ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ୨୦୧୯ ନିର୍ବାଚନରେ ତାଙ୍କୁ ମଧ୍ୟ ଶେଷ ମୁହୂର୍ତ୍ତରେ ସାଂସଦ ଟିକଟ ଦିଆଯାଇଥିଲା। ପାଞ୍ଚ ଥର ବିଜେଡ଼ିରୁ ସାଂସଦ ହୋଇସାରିଲେଣି। ତଥାପି ଦଳ ବିରୁଦ୍ଧରେ ମତବ୍ୟକ୍ତ କରିବା ଛାଡୁ ନାହାଁନ୍ତି। ଦଳ ଆଉ କଣ ଦବ ଏମାନଂକୁ। ବିନା ନବୀନ ଓ ଶଙ୍ଖ ବିନା ଏମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର। ୨୦୧୯ ନିର୍ବାଚନ ପରେ ସେ ମୋଦି, ସାହା, ଧର୍ମେନ୍ଦ୍ର ଆଡ଼କୁ ଢ଼ଳିଲେ। ମାତ୍ର ଏବେ ଅନୁଭବ କଲେଣି ଓଡ଼ିଶାରେ ନବୀନ ବିନା ଅନ୍ୟ ଗତି ନାହିଁ। ଏଠି ମୋଦି, ସାହା, ଧର୍ମେନ୍ଦ୍ର ଫର୍ମୁଲା କାମ କରିବ ନାହିଁ। ପୁଣି କଟକ ଟିକଟ ନବାର ଅଛି। ତେଣୁ ତେର୍ଚ୍ଚା ବାଣ ଆରମ୍ଭ ହୋଇଗଲାଣି।

ସମୟ ଥିଲା ଗଣମାଧ୍ୟ୍ୟମର ଗୁରୁତ୍ୱ ଥିଲା। ଏହାକୁ ଆଧାର କରି ଯାହା କ୍ଷମତା ଉପଭୋଗ କରିବା କଥା ଏହି ନେତାମାନେ କରିସାରିଛନ୍ତି। ଆଗାମୀ ପିଢ଼ିକୁ ସୁଯୋଗ ଦେବାର ସମୟ ଆସିଛି। ରାଜନେତାଙ୍କ ବଂଶଧର ରାଜନେତା ହେବାର ପରମ୍ପରା ମଧ୍ୟ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ତେର୍ଚ୍ଛା ବାଣର ଯୁଗ ମଧ୍ୟ୍ୟ ସାରିବାକୁ ବସିଲାଣି।

ପ୍ରିୟ ରଞ୍ଜନ ସାହୁ