Odiapua.com

ପଠାଣି ସାମନ୍ତ ଅଡିଟୋରିୟମ ନବୀକରଣ ପାଇଁ ୨କୋଟି ମଞ୍ଜୁର, ତୃତୀୟନୟନ ପକ୍ଷରୁ ‘ଅନ୍ଧାରରେ ଆସ’ମଂଚସ୍ଥ

ନୟାଗଡ଼, ୧୫-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର କଳା ଓ ସଂସ୍କୃତିର ଅନୁଷ୍ଠାନ ତୃତୀୟନୟନ ପକ୍ଷରୁ ନାଟକ ‘ଅନ୍ଧାରରେ ଆସ’ ସଫଳତାର ସହ ମଂଚସ୍ଥ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଏକ ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସହୁ ଯୋଗଦେଇ ଉଦ୍‌ଘାଟନ କରିଥିଲାବେଳେ ସମାଜରେ ଓ ସମାଜର ଚଳଣିରେ ଘଟୁଥିବା ଘଟଣାବଳୀର ଅବତାରଣା କରି ନାଟକ ମାଧ୍ୟମରେ ସୁଧାର ଆଣିବାକୁ କରିଥିବା ପ୍ରୟାସ ପାଇଁ ନାଟ୍ୟକାର ବିଶ୍ୱନାଥ ମହାପାତ୍ର ପ୍ରଶଂସାହ ବୋଲି କହିଥିଲେ। ଏଥିସହିତ ପଠାଣି ସାମନ୍ତ ଅଡିଟୋରିୟମର ନବୀକରଣ ପାଇଁ ୨କୋଟି ଟଙ୍କା ମଞ୍ଜୁର ହୋଇଥିବା ମୁଖ୍ୟଅତିଥି ମନ୍ତ୍ରୀ ଡ.ସାହୁ ଦର୍ଶକ ତଥା ଜନସାଧାଣଙ୍କ ଉଦ୍ଦେଶ୍ୟରେ ଘୋଷଣା କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅର୍ଥରେ ସ୍ଥାୟୀ ଆଲୋକର ବ୍ୟବସ୍ଥା, ସାଉଣ୍ଡ, ସେଂଟ୍ରାଲଏସି, ଅତ୍ୟାଧୁନିକ ମଂଚସଜ୍ଜା, ଦର୍ଶକମାନଙ୍କ ପାଇଁ ଆରାମଦାୟକ ଚେୟାର, ଡିଜିଟାଲ ତଥା କମ୍ପ୍ୟୁଟରାଇଜ୍‌ଡ ନିୟନ୍ତ୍ରଣ କକ୍ଷ ଆଦିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ମନ୍ତ୍ରୀଙ୍କ ଏପରି ଘୋଷଣା ଶୁଣି ଦର୍ଶକ, ଆୟୋଜକ ତଥା ଉପସ୍ଥିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟମାନେ ମନ୍ତ୍ରୀଙ୍କ ଉପରି ଉଦ୍ୟମକୁ ବହୁ ପ୍ରଶଂସା କରିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ନାଟକରେ ଅଭିନୟ କରିଥିବା କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମର ସହଯୋଗୀ ମା’ଫାଉଣ୍ଡେସନ ଲୋଗୋକୁ ଅତିଥିମାନେ ଉନ୍ମୋଚନ କରିଥିଲାବେଳେ ଡ୍ୟାଜେଲ୍ ମିସ୍ ଇଣ୍ଡିଆ-୨୦୨୧ ବିଜୟନୀ ପ୍ରଜ୍ଞା ପରଣିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶ୍ୱନାଥ ମହାପାତ୍ରଙ୍କ ରଚିତ ତଥା ଡ. ବିଜୟ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ଅନ୍ଧାରରେ ଆସକୁ ବେଶ୍ ଦର୍ଶକୀୟ ଆଦୃତି ମିଳିଥିଲା।