Odiapua.com

ପଟିଦିଅଁ ଅଙ୍କନ ଉତ୍ସବ ଉଦ୍‌ଯାପିତ

ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ଅନୁସାରେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ପଟିଦିଅଁ ଅଙ୍କନ ଉତ୍ସବ ସ୍ନାନ ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ବାଲେଶ୍ୱରୀ କଳା କେନ୍ଦ୍ର ଓ ନୋସି ଇମ୍ଫ୍ରାର ମିଳିତ ଆନୁକୂଲ୍ୟରେ ଗତ ୩୧ତାରିଖରେ ରେମୁଣା ବ୍ଲକର ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିସରରେ ଆରମ୍ଭ ହୋଇଥିଲା ୬ଷ୍ଠ ପଟିଦିଅଁ ଅଙ୍କନ ଉତ୍ସବ। ଏହି ଉତ୍ସବରେ ଆବାହକ ଶିଳ୍ପୀ କେଶୁ ଦାସ ପୌରୋହିତ୍ୟ କରିଥିଲେ। ଏଥିରେ ନୀଳଗିରି, ଶାସଙ୍ଗ, ବାଣ୍ଠିଆ, ଜୟଦେବ କସବା, ଦୁବଲାଗଡ଼ି ଓ ମଙ୍ଗଳପୁର ଜଗନ୍ନାଥ ମନ୍ଦିରର ଅନନ୍ତ ବାସୁଦେବ, ଭୁବନେଶ୍ୱରୀ ଓ ଅନନ୍ତ ନାରାୟଣଙ୍କ ପଟିଦିଅଁ ଅଂକନ କରାଯାଇଥିବା ବେଳେ ମଙ୍ଗଳପୁର ଜଗନ୍ନାଥ ମନ୍ଦିରର ପଟିଦିଅଁ ଅଙ୍କନ ଚିତ୍ରକର ପ୍ରୀତମ ନାୟକ, ଅରୁଣ ବାରିକ, ପ୍ରବୀର ପାତ୍ର, ଗୋପାଳ ପରିଡ଼ା, ହିମାଂଶୁ ବଇଠା, ଆଦିତ୍ୟ ଉପାଧ୍ୟାୟ, ଦୀନକୃଷ୍ଣ ଦାସ, ଅଙ୍କିତ ଦାସ ପ୍ରମୁଖ ଯୋଗ ଦେଇ ପଟିଦିଅଁ ପରମ୍ପରା ଓ ସଂସ୍କୃତି ଆଧାରିତ ପଟି ଉପରେ ଚିତ୍ର ଅଙ୍କନ କରିଥିଲେ। ଏହି ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ମଇ ୩୧ ତାରିଖରୁ ଆରମ୍ଭ ହୋଇଥିବାବେଳେ ୫ ତାରିଖ (ସ୍ନାନପୂର୍ଣ୍ଣିମା)ରେ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ସମାପିତ ହୋଇଛି। ଲକ୍‌ଡାଉନ୍‌ର ସମସ୍ତ ସରକାରୀ ନିୟମକୁ ପାଳନ ପୂର୍ବକ କାର୍ଯ୍ୟକ୍ରମ କରାଯାଇଥିବା କଥା ଉଦ୍ୟୋକ୍ତା ପ୍ରକାଶ କରିଛନ୍ତି। ୬ଟି ମନ୍ଦିରରୁ ଆଜ୍ଞାମାଳ ନେଇ ପୂଜକମାନେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଂଚି ତିନି ପଟିଦିଅଁଙ୍କୁ ନିଜ ନିଜ ମନ୍ଦିରକୁ ବିଜେ କରାଇଥିଲେ। ଏଥିରେ ମନ୍ଦିରର ପୂଜକଙ୍କ ସମେତ ପୂରବୀ କମିଳା, ମନୋରଂଜନ ସାହୁ, ଅଭିନୟ ସାହୁ, ଜିତାମିତ୍ର ଦାସ, ସମରେନ୍ଦ୍ର ମହାପାତ୍ର, କନକଲତା ଦାସ, ପୂଜା ରାଉଳ, ନିରଂଜନ ସାହୁ, ସଞ୍ଜୁଲତା ସାହୁ, ରାଜଶ୍ରୀ ସାହୁ, ସଂଯୁକ୍ତା ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ।