Odiapua.com

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଭେଟିଲେ, କାରଣ କ’ଣ?

ନୂଆ ଦିଲ୍ଲୀ ୧୪ -୧୦ (ଓଡ଼ିଆ ପୁଅ) ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଗୁରୁବାର ତାଙ୍କ ଫାର୍ମ ହାଉସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଭେଟିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦିନଠାରୁ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳ ଉପରେ ରାଗିଛନ୍ତି। କଂଗ୍ରେସ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସେ ଦଳ ଛାଡିବାକୁ ଘୋଷଣା କରିଥିଲେ। ତେବେ ଏପର୍ଯ୍ୟନ୍ତ କ୍ୟାପଟେନ ଆନୁଷ୍ଠାନିକ ଭାବେ ଦଳରୁ ଇସ୍ତଫା ଦେଇନାହାଁନ୍ତି।

ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି, ତାଙ୍କ ନବ ବିବାହିତ ପୁଅ ଏବଂ ବଧୂ ସହିତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୋହାଲିର ସିସୱାନରେ ଥିବା ଫାର୍ମ ହାଉସରେ ପହଞ୍ଚି ଆଶୀର୍ବାଦ ମାଗିଥିଲେ। ଗୁରୁବାର ଅପରାହ୍ନରେ ସେ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲେ। ଏହାପୂର୍ବରୁ ଯେତେବେଳେ ଚାନୀଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯାଇଥିଲା ସେତେବେଳେ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏଥି ସହିତ ପଞ୍ଜାବ କଂଗ୍ରେସରେ ପୁଣି ଥରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଯାଇଛି। ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ମୁହାଁମୁହିଁ ହୋଇଥିଲେ। ସୀମା ସୁରକ୍ଷା ବଳକୁ ଅଧିକ କ୍ଷମତା ଦେବା ନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଗୋଟିଏ ପଟେ ଯେଉଁଠାରେ ସିଏମ ଚାନ୍ନି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି, ଅନ୍ୟପଟେ ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

କ୍ୟାପଟେନ ଅମରିନ୍ଦର ସିଂଙ୍କ ମିଡିଆ ପରାମର୍ଶଦାତା ରେଭେନ୍ ଠକରାଲ ଟ୍ୱିଟ୍ କରି କ୍ୟାପଟେନଙ୍କ ବିବୃତ୍ତିକୁ ଦର୍ଶାଇ କହିଛନ୍ତି ଯେ, କାଶ୍ମୀରରେ ଆମର ସୈନିକମାନେ ଶହୀଦ ହେଉଛନ୍ତି। ଆମେ ଦେଖୁଛୁ ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଉଛନ୍ତି। ଏଭଳି ପରିସ୍ଥିତିରେ, ବିଏସ୍ଏଫ୍ ର ଉପସ୍ଥିତି ଏବଂ ବର୍ଦ୍ଧିତ ଶକ୍ତି ଆମକୁ ଅଧିକ ଶକ୍ତିଶାଳୀ କରିବ। କ୍ୟାପଟେନ କହିଛନ୍ତି ଯେ, ଯେତେବେଳେ ଭାରତର ସୁରକ୍ଷା କଥା ଚିନ୍ତା କରାଯାଏ ସେତେବେଳେ ଆମକୁ ରାଜନୀତିଠାରୁ ଉପରକୁ ଉଠିବାକୁ ପଡ଼ିବ।