Odiapua.com

ପଞ୍ଚାୟତ ନିର୍ବାଚନ ଅଙ୍କ ଗୋଳମାଳିଆ, ପ୍ରଚାର ଜମିଲାଣି, ଚିତ୍ର ଅସ୍ପଷ୍ଟ

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପଂଚାୟତ ନିର୍ବାଚନ ବାତାବରଣ ଗାଁ ଗହଳିରେ ବେଶ୍ ଜମି ଆସିଲାଣି। କିନ୍ତୁ ନିର୍ବାଚନର ଚିତ୍ର କୁହୁଡି ଭଳି ଅସ୍ପଷ୍ଟ ଦିଶୁଛି। ଚଳିତ ପଂଚାୟତ ନିର୍ବାଚନରେ ବିଜେପି, ବିଜେଡି, କଂଗ୍ରେସ, ଡିଏସ୍‌ପି, ସିପିଆଇ(ଏମ୍‌), ସିପିଆଇ, ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ରାଜ୍ୟରେ ଦୁଇ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭଦ୍ରକ ଓ ବାସୁଦେବପୁରରେ ଦୁଇ ନବାଗତ ଯୁବ ବିଧାୟକ ପ୍ରଥମଥର ପାଇଁ ଏହି ଗୁରୁଦାୟିତ୍ୱ ବହନ କରିଛନ୍ତି। ଧାମନଗର ବିଧାନସଭା ଆସନରେ ପୂର୍ବତନ ପଂଚାୟତ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ଦଳର ଜିଲା ପ୍ରଭାରୀ ପ୍ରଚାର ନେତୃତ୍ୱ ନେଉଛନ୍ତି। ପୂର୍ବତନ ଦୁଇ ବିଧାୟକଙ୍କ ବି ପାଦ ପଡିନାହାଁନ୍ତି। ଭଣ୍ଡାରିପୋଖରୀରେ ବିଜେଡିର ପ୍ରବୀଣ ବୟଜ୍ୟେଷ୍ଠ ନେତା ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ଦୁଇ ପୁଅ ପ୍ରଚାରକୁ ଜୋରଦାର କରିଛନ୍ତି। ଚାନ୍ଦବାଲିରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ନିର୍ବାଚନ ମଙ୍ଗ ଧରିଛନ୍ତି। ବିରୋଧୀ ବିଜେପି ଦଳରେ ନେତୃତ୍ୱରେ ଅଭାବ ସାଙ୍ଗକୁ ଗୋଷ୍ଠୀ କନ୍ଦଳ ପଂଚାୟତ ନିର୍ବାଚନର ପାଣିପାଗକୁ ବିଗାଡି ଦେଇଛି। ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଦଳର ଜିଲା ସଭାପତି ହେମନ୍ତ କୁମାର ପଢୀ ଓ ତାଙ୍କ ପତ୍ନୀ ଚଳିତ ନିର୍ବାଚନରେ ଭଦ୍ରକ ବ୍ଲକ୍‌ର ଦୁଇଟି ପଂଚାୟତରେ ସମିତି ସଭ୍ୟ ପଦବୀ ପାଇଁ ଲଢୁଛନ୍ତି। ଉଭୟଙ୍କ ବିଜୟକୁ ନେଇ ସଭାପତି ଶ୍ରୀ ପାଢୀ ଏହି ଦୁଇଟି ପଂଚାୟତକୁ ଜଗି ବସିଛନ୍ତି। ସେହିପରି ବିଜେପିର ଅନ୍ୟତମ ପ୍ରମୁଖ ବରିଷ୍ଠ ନେତା ବିଧାୟକ ବିଷ୍ଣୁ ସେଠୀ ନିଜ ଧାମନଗର ଆସନକୁ ଅକ୍ତିଆରରେ ରଖି ନିଜର ସମ୍ମାନ ରଖିବା ଲାଗି ସେଠାରେ ବାନ୍ଧିହୋଇ ଯାଇଛନ୍ତି। ତେଣୁ ପଂଚାୟତ ନିର୍ବାଚନରେ ଦଳ ନେତୃତ୍ୱହୀନ ହୋଇପଡିଛି।

ସେହିପରି କଂଗ୍ରେସର ଦୁର୍ବଳ ସଂଗଠନ ମତଭେଦ ବ୍ୟତୀତ ଦିଲ୍ଳୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଲୋକଙ୍କ ଦଳପ୍ରତି ବିତସ୍ପୃହ ମନୋଭାବ ଆସନ୍ତା ନିର୍ବାଚନରେ ଯଥେଷ୍ଟ ପ୍ରତିଫଳିତ ଅଭାବର ସମ୍ଭାବନା ରହିଛି। ଏଠାରେ ମଧ୍ୟ କଂଗ୍ରେସର ଜିଲା ସଭାପତି ସୁବ୍ରତ ଦାସ ଭଣ୍ଡାରିପୋଖରୀ ବ୍ଲକ୍‌ର ପୂର୍ବସ୍ଥିତି ବଜାୟ ରଖିବା ପାଇଁ ଅଧିକ ବ୍ୟସ୍ତ ରହୁଛନ୍ତି। ସେହିପରି ଭଦ୍ରକ ବିଧାୟକ ପ୍ରାର୍ଥୀ ନଳିନୀ ମହାନ୍ତି ଓ ଅନ୍ୟ କେତେକ ଯୁବନେତା ନିର୍ବାଚନର ଦାୟିତ୍ୱ କାନ୍ଧକୁ ନେଇଛନ୍ତି। ୨୦୧୨ ରେ ଯେଉଁ କଂଗ୍ରେସ ଦଳ ପଂଚାୟତ ନିର୍ବାଚନରେ ଶାସକ ଦଳକୁ କଡ୍ଡା ଟକ୍କର ଦେଇଥିବା ୨୦୧୭ ରେ ସ୍ଥିତି ଓଲଟି ଯାଇ ୩ୟ ସ୍ଥାନକୁ ଖସିଲା। ଏଥର ବି ସମାନ ସ୍ଥିତି ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଇଛି। ଅପରପକ୍ଷରେ ବିଜେଡି ସୁପ୍ରିମ୍ ନବୀନ ପଟ୍ଟନାୟକଙ୍କ ସୁଶାସନ ଲୋକପ୍ରିୟତା ଓ ମାଳମାଳ ଜନକଲ୍ୟାଣକାରୀ ଯୋଜନା ପଂଚାୟତ ନିର୍ବାଚନକୁ ବେଶ୍ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ଚାଲିଛି। ତଥାପି ବିଜେଡିର ମିଶ୍ରଣ ପର୍ବପରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିର ଯୋଗ ଦେଇଥିବା ନବାଗତ କର୍ମୀଙ୍କୁ ନେଇ ଦଳର ପୁରୁଖା ନେତା ଦଳଠାରୁ ମୁହଁ ଫେରାଇ ନେଇଛନ୍ତି। ଦଳର ନୂଆ ପ୍ରାର୍ଥୀଙ୍କୁ ନେଇ ପୁରୁଣା କର୍ମୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ବିଦ୍ରୋହୀଙ୍କୁ ମନାଇବା ଉଦ୍ୟମ କେତେକ ସ୍ଥାନରେ ସଫଳ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ବିଦ୍ରୋହୀମାନେ କଥା ନମାନି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ଅଛନ୍ତି। ଏହାବ୍ୟତୀତ ଶାସକ ଦଳକୁ ମାତ୍ ଦେବା ପାଇଁ କେତେକ ସ୍ଥାନରେ କଂଗ୍ରେସ ଓ ବିଜେପି କର୍ମୀମାନେ ମିଳିତ ଭାବେ ପ୍ରାର୍ଥୀ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୨ ରେ ଶାସକ ବିଜେଡି ୭ଟି ବ୍ଲକ୍ ଅଧ୍ୟକ୍ଷ ପଦବୀ ଦଖଲ କରିଥିଲା। ୨୦୧୭ ରେ ଭଦ୍ରକ, ତିହିଡି, ବନ୍ତ, ଚାନ୍ଦବାଲି, ବାସୁଦେବପୁର ୫ଟି ବ୍ଲକ୍ ଦଖଲ କରିଥିଲା। ଧାମନଗରରେ ଅସନ୍ତୁଷ୍ଟ ବିଜେଡି ଓ ବିଜେପି ସମର୍ଥିତ ପ୍ରାର୍ଥୀ ମିଶି ପଂଚାୟତ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିଥିଲେ। ସେହିପରି ଭଣ୍ଡାରିପୋଖରୀ ବ୍ଲକ୍‌ରେ ବିଜେପି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମିଶି ବ୍ଲକ୍ ଅଧ୍ୟକ୍ଷ ପଦବୀ ହାସଲ କରିଥିଲେ। ୨୦୧୨ ନିର୍ବାଚନରେ ତିହିଡି ଓ ଧାମନଗରରୁ ବ୍ଲକ୍‌ରେ କଂଗ୍ରେସ ଶାସକ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲା। କିନ୍ତୁ ୨୦୧୭ ନିର୍ବାଚନରେ ସ୍ଥିତି ଓଲଟି ଯାଇଥିଲା। କଂଗ୍ରେସ ୩ୟ ସ୍ଥାନକୁ ଖସି ଆସିଥିଲା। ଜିଲାର ୨୮ଟି ଜିଲା ପରିଷଦ ଜୋନ୍ ମଧ୍ୟରୁ ୨୦୧୨ ରେ ବିଜେଡି ୨୭ ଟି ବିଜୟୀ ହୋଇ ଅଧ୍ୟକ୍ଷ ପଦବୀ ହାସଲ କରିଥିଲା। କେବଳ ଗୋଟିଏ ଜୋନ୍ ଦଖଲ କରି ବିଜେପି ପ୍ରଥମଥର ପାଇଁ ଦଳର ଖାତା ଖୋଲିଥିଲା। ୨୦୧୭ ରେ ଶାସକ ଦଳ ୨୪ଟି ଜିଲା ପରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା। ସୂଚନାଯୋଗ୍ୟ ୨୦୧୨ ପଂଚାୟତ ନିର୍ବାଚନରେ ବିଜେଡିକୁ ୩, ୫୨, ୭୮୬ ଭୋଟ୍ ମିଳିଥିବାବେଳେ କଂଗ୍ରେସକୁ ୨, ୨୯, ୫୩୦ ଓ ବିଜେପିକୁ ୧, ୦୯, ୩୩୫ ଭୋଟ୍ ମିଳିଥିଲା। ୨୦୧୭ ରେ ଶାସକ ଦଳକୁ ୩, ୬୧, ୩୮୧ ଭୋଟ୍ ମିଳିଥିବାବେଳେ ବିଜେପିକୁ ୨, ୪୩, ୮୯୮ ଓ କଂଗ୍ରେସକୁ ୧, ୬୪, ୬୫୪/- ଭୋଟ୍ ମିଳିଥିଲା। ଏବେ ଜିଲାର ବିଭିନ୍ନ ଦଳର ସ୍ଥିତି ଅସ୍ପଷ୍ଟ ଥିବାବେଳେ ଜିଲା ପରିଷଦ ଓ ପଂଚାୟତ କେଉଁ ଦଳର ହାତକୁ ଯିବ ଆକଳନ କରିବା କଷ୍ଟକର ହୋଇପଡିଛି।