Odiapua.com

ପଛୁଆବର୍ଗ ପିଲାଙ୍କୁ ନାମଲେଖାରେ ୧୧.୨୫% ସଂରକ୍ଷଣ ଦେବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, ତା ୨୧ା୯ (ଓଡ଼ିଆ ପୁଅ) : ଗତ ଅଗଷ୍ଟ ୭ ତାରିଖ ଦିନ ମଣ୍ଡଳ କମିଶନ କାର୍ଯ୍ୟକାରୀ ଦିବସକୁ “ସାମାଜିକ ନ୍ୟାୟ ଦିବସ” ଭାବରେ ପାଳନ ଅବସରରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସାମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କର ନାମଲେଖା ଋତୁକୁ ଆଖି ଆଗରେ ରଖି ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୨୭% ସ୍ଥାନ ସଂରକ୍ଷଣ ଦେବାପାଇଁ ଏହି ସ୍ମାରକପତ୍ରରେ ଏକ ପ୍ରମୁଖ ଦାବି ଭାବରେ ଏହାକୁ ସ୍ଥାନିତ କରାଯାଇଥିଲା। କିନ୍ତୁ ଦୁଃଖର କଥା, ଆଜିଠାରୁ ରାଜ୍ୟର ବିଭିନ୍ନ ଜୁନିଅର କଲେଜ ଓ +୨ କଲେଜ ମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲେ ହେଁ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରମାନେ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖା କ୍ଷେତ୍ରରେ ୨୦୦୭-୦୮ ମସିହାଠାରୁ ସଂରକ୍ଷଣ ଦେଇଆସୁଥିଲେ ହେଁ ଓଡ଼ିଶା ସରକାର ଏହାକୁ ଏପର୍ଯ୍ୟନ୍ତ ଏଡାଇ ଆସିଛନ୍ତି। ଫଳରେ ପଛୁଆବର୍ଗର ବହୁ ଛାତ୍ରଛାତ୍ରୀ ସଂରକ୍ଷଣ ଅଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାରେ ଲାଗିଛନ୍ତି। ଏହିବର୍ଷଠାରୁ ଲାଗୁ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପିତ କରିଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ନ ହେବା ଫଳରେ ଏହି ବର୍ଗର ପିଲାମାନେ ଆଜି ନାମ ଲେଖାର ସୁଯୋଗ ପାଇପାରିଲେ ନାହିଁ। ସୁପ୍ରିମକୋର୍ଟର ୫୦% ସଂରକ୍ଷଣ ନିୟମକୁ ଆଖି ଆଗରେ ରଖି ରାଜ୍ୟ ସରକାର ତୁରନ୍ତ ଓବିସି ଛାତ୍ରଛାତ୍ରୀମାନଙ୍କୁ ଯେଭଳି ଚାକିରୀ କ୍ଷେତ୍ରରେ ୧୧-୨୫% ଦେଉଛନ୍ତି, ସେହିଭଳି ନାମଲେଖା କ୍ଷେତ୍ରରେ ଏହିବର୍ଷଠାରୁ ୧୧.୨୫% ସଂରକ୍ଷଣ ଦେବାପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପୁନଶ୍ଚ ତାଙ୍କର ଦାବି ଦୋହରାଇଛନ୍ତି। ଏହି ସଂରକ୍ଷଣକୁ କେବଳ ଜୁନିଅର କଲେଜ ବା କଳା ଓ ବିଜ୍ଞାନ ପାଇଁ ନୁହେଁ, ମେଡ଼ିକାଲ, ଇଂଜିନିୟରିଂ, ଆଇନ୍ କ୍ଷେତ୍ରରେ ମଧ୍ୟ ଓବିସି ଛାତ୍ରଛାତ୍ରୀଙ୍କୁ ୧୧.୨୫%ସଂରକ୍ଷଣ ଦେବାକୁ ସେ ଦାବି କରିଛନ୍ତି।