Odiapua.com

ପଂଚାୟତ ସମିତି ଦଖଲକୁ ନେଇ ଚର୍ଚ୍ଚା

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତି ମଧ୍ୟରେ ମତଦାନ ସରିଯାଇଛି । ପ୍ରାର୍ଥୀମାନଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇଛି । କେଉଁ ପଂଚାୟତର କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ୨୬ ତାରିଖ ପରେ ଜଣାପଡ଼ିବ । ମାତ୍ର ବନ୍ତ ପଂଚାୟତ ସମିତି ଦଖଲକୁ ନେଇ ଚର୍ଚ୍ଚା ଚାଲିଛି । ବିଭିନ୍ନ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ି ପ୍ରାର୍ଥୀମାନେ ସଂଖ୍ୟା ଗରିଷ୍ଠତା ହାସଲ କରି ପଂଚାୟତ ସମିତି ଦଖଲ କରିଥିଲେ । ୧୯୯୭-୨୦୦୨ ଓ ୨୦୦୭-୨୦୧୨ ନିର୍ବାଚନରେ କଂଗ୍ରେସ କବ୍‌ଜାରେ ଏବଂ ୨୦୦୦-୨୦୦୫, ୨୦୧୨-୨୦୧୭, ୨୦୧୭-୨୦୨୨ ନିର୍ବାଚନରେ ବିଜେଡ଼ି କବଜାରେ ପଂଚାୟତ ସମିତି ରହିଥିଲା । ଗତ ନିର୍ବାଚନରେ ବିଜେଡ଼ି ସମର୍ଥୀତ ସମିତି ସଭ୍ୟ ୧୩, କଂଗ୍ରେସ ସମର୍ଥୀତ ସମିତି ସଭ୍ୟ ୭, ବିଜେପି ସମର୍ଥୀତ ସମିତି ସଭ୍ୟ ୨, କମ୍ୟୁନିଷ୍ଟ ଓ ସ୍ୱାଧିନ ଭାବେ ଜଣେ ଲେଖାଏ ସମିତି ସଭ୍ୟ ଜିତି ଥିଲେ । ଏହି ବ୍ଲକର ୩ଟି ଜୋନ୍ ଆଗରପଡ଼ା, ବନ୍ତ ଓ କେନ୍ଦୁଆପଦାରେ କଂଗ୍ରେସ ସହ ଅନ୍ୟାନ୍ୟ ଦଳ ମିଶି ବିକାଶ ମଂଚ ସମର୍ଥନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢୁଥିଲେ । ବିଜେଡ଼ି ଓ ବିଜେପିର ଅଲଗା ଅଲଗା ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦୀତା କରୁଥିଲେ । ଏଥର ବିଜେଡ଼ି ଏକାକୀ ସଂଖ୍ୟା ଗରିଷ୍ଠ ହାସଲ କରି ପଂଚାୟତ ସମିତି ଅଧିକାର କରିବ ବୋଲି ଦଳୀୟ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ କଂଗ୍ରେସ ନେତାମାନେ ମଧ୍ୟ ଅନୁରୂପ କଥା କହୁଛନ୍ତି । ତେବେ କେଉଁ ଦଳ ଏଥର ପଂଚାୟତ ସମିତି ଅକ୍ତିଆର କରିବ ତାହା ମତଦାନ ଗଣତି ପରେ ଜଣାପଡ଼ିବ । ଅବସରପ୍ରାପ୍ତ ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ଶେଖର ନାୟକ(ବନ୍ତ ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ), ସୁଶୀଳା ଜେନା(ପୁରୁଷଣ୍ଢ ପଂଚାୟତରୁ ପ୍ରାର୍ଥୀନୀ) ନିଜେ ଜିତିବା ସହ ବିଜେଡ଼ିକୁ ଯଦି ସଂଖ୍ୟା ଗରିଷ୍ଠତା ମିଳେ ତେବେ ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ଦାବୀଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରେମାନନ୍ଦ ନାୟକ(ସେଣ୍ଢତିରା ସମିତିସଭ୍ୟ ପ୍ରାର୍ଥୀ),ଜ୍ୟୋସ୍ନାରାଣୀ ସ୍ୱାଇଁ(ବସନ୍ତିଆ ପଂଚାୟତରୁ ପ୍ରାର୍ଥୀନୀ) ଓ ଆଇନଜୀବୀ ପରମେଶ୍ୱର ବାରିକ(ବନ୍ତ ପଂଚାୟତରୁ ବିକାଶ ମଂଚ ପ୍ରାର୍ଥୀ) ନିଜେ ଜିତିବା ସହ ଯଦି କଂଗ୍ରେସ କୁ ସଂଖ୍ୟା ଗରିଷ୍ଠ ମିଳେ ତାହାହେଲେ ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ଦାବୀଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି ।