Odiapua.com

ପଂଚାୟତ ଗୃହ ନିର୍ମାଣରେ ଅନିୟମିତତା : ବିଦ୍ୟାଳୟ ନିମନ୍ତେ ସଂରକ୍ଷିତ ଜାଗାରେ ଚାଲିଛି ଗୃହ ନିର୍ମାଣ

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତ ଗୁଡିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ଏହାର ସଫଳ ରୂପାୟନକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ଗ୍ରାମପଞ୍ଚାୟତ ପୁନଃଗଠନ ଆଇନ୍ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲା ବନ୍ତ ବ୍ଲକ୍‌ରେ ୩ ଗୋଟି ନୂତନ ଗ୍ରାମପଞ୍ଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ୍ ଅଧୀନରେ ୨୨ଟି ପଂଚାୟତ ପରିବର୍ତ୍ତେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । ତନ୍ମଧ୍ୟରୁ କାଦବରାଙ୍ଗ ପଂଚାୟତକୁ ଭାଗ କରାଯାଇ ନୂତନ ଭାବେ ବଡବର୍ଚ୍ଚିକୟାଁର ୧୧୮୦ ଜଣ, ବିଶଲକଣାର ୧୦୭୪ ଜଣ, ଆପ୍ତିରାଷଡଙ୍ଗୀର ୮୨୦ ଜଣ, ରାଉତରାଗଡିଆର ୭୨୬ ଜଣ, କୁଶୁନନଗରର ୭୩୫ ଜଣ ଓ ଜୟସିଂହପୁରର ୨୧୬ ଜଣ ଲୋକସଂଖ୍ୟା ମୋଟ ୪୭୫୧ ଲୋକସଂଖ୍ୟାକୁ ନେଇ ଗଠିତ ହୋଇଥିଲା ଏହି ପଂଚାୟତ । ନୂତନ ପଂଚାୟତ ଗଠନ ହେବାର ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ପଂଚାୟତରେ ଲାଗିରହିଥିବା ସମସ୍ୟା ଗୁଡିକ ପ୍ରତି ସରକାର କିମ୍ବା ଲୋକ ପ୍ରତିନିଧି କେହି ଦୃଷ୍‌ଯି ନଦେବା ବଡ ଦୁଃଖ ଓ ଅନୁତାପର ବିଷୟ ଅଟେ । ବିଭିନ୍ନ ସମସ୍ୟା ମଧ୍ୟରୁ ଏହାର ମୁଖ୍ୟ ସମସ୍ୟା ହେଲା ଆଜିପର୍ଯ୍ୟନ୍ତ ପଂଚାୟତର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ହୋଇନପାରିବା । ଏଠାରେ ପ୍ରକାଶ ଥାଉକି ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୩୪ ଲକ୍ଷ ୭୦ ହଜାର ଟଙ୍କା ମଂଜୁର ହୋଇଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିବା ସହିତ ୯୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉଲ୍ଲେଖ ରହିଥିଲା । ଅବଧି ସରିବାର ପ୍ରାୟ ୩ ବର୍ଷ ପୂରିବା ପରେ ସୁଦ୍ଧା ଏହି ଗୃହ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ବର୍ତ୍ତମାନ ଉକ୍ତ ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଜଣାପଡିଛି । ଜନସୂଚନା ଅଧିକାର ଆଇନ୍ ବଳରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ବନ୍ତ ତହସିଲ ଅନ୍ତିର୍ଗତ ବଡବର୍ଚ୍ଚିକୟାଁ ମୌଜାର ଖାତା ନଂ ୫୪୫, ଖସଡା ନଂ ୯୭୬ ରକବା ଏ୦.୫୦ ଡି. କିସମ-ଉନ୍ନତ ଯୋଜନା ଯୋଗ୍ୟ (ବିଦ୍ୟାଳୟ ନିମନ୍ତେ ସଂରକ୍ଷିିତ) ବୋଲି ଉଲ୍ଲେଖ କରାଯାଇଅଛି ।

 

 

ହସ୍ତଗତ ତଥ୍ୟ ଅନୁଯାୟୀ ବିଦ୍ୟାଳୟ ପାଇଁ ସଂରକ୍ଷିତ ଜାଗାରେ କିପରି ପଂଚାୟତ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏଥିରୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହେବା ସହ ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମକୁ ଯଦି ସରକାର ନିଜେ ଭାଙ୍ଗନ୍ତି, ତେବେ ସାଧାରଣ ଜନତା କଣ କରିବେ ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଗୃହ ନିର୍ମାଣ ପାଇଁ ଉକ୍ତ ଜାଗାକୁ ଛାଡି ଅନ୍ୟ ଜାଗା ଥିବା ସ୍ଥଳେ କେଉଁ ନିହିତ ସ୍ୱାର୍ଥ ବଳରେ ଏଠାରେ ଗୃହ ନିର୍ମାଣ ପାଇଁ ସ୍ଥିର କରାଗଲା ଓ ବିଭାଗୀୟ ଅଧିକାରୀମାନେ କିପରି ଏହାକୁ ସବୁଜ ସଂକେତ ଦେଲେ ତାହା ତଦନ୍ତ ସାପେକ୍ଷ । ବତ୍ତର୍ମାନ ପଂଚାୟତ ଗୃହର କାର୍ଯ୍ୟ ରୁଫ ଲେବୁଲ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇଛି । ଏହି ତଥ୍ୟକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଅନିୟମିତତା ସଂପର୍କରେ କିଛି ଜାଣିନଥିବା କହିବା ସହ ତାଙ୍କ ଯୋଗଦାନ ପୂର୍ବରୁ ଏହି ଘଟଣା ଘଟିଥିବାର ପ୍ରକାଶ କରିଥିଲେ । ସେହିପରି ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ଗୋଟିଏ ପଟେ ଗୃହ ଅଧପନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ଗ୍ରାମର ହରିହାଟ ଗୃହରେ ଏକ ଛୋଟ କୋଠରୀରେ ଏହି ପଂଚାୟତର କାର୍ଯ୍ୟାଳୟ ଚାଲିଛି । ଏହି କୋଠରୀରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଏକ ସଂଗେ ବସିବା ମଧ୍ୟ ଅସମ୍ଭବ ହୋଇପଡିଛି । ଭତ୍ତା ଦିନ ମଧ୍ୟ ନାନାଦି ସମସ୍ୟାମାନ ଦେଖାଦେଉଥିବାବେଳେ ଅନ୍ୟ ପଟେ ଅର୍ଥ ମଂଜୁର ହେଉଛି, କିନ୍ତୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଯୋଗୁଁ ସରକାରଙ୍କ ଯୋଜନା ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ଏହି ଅନିୟମିତତା ପ୍ରତି ବିଭାଗୀୟ ଉତ୍ତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।