ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ପଂଚାୟତ ଗଠନ କରାଯାଇଥିଲା। ତନ୍ନମଧ୍ୟରୁ କାଦବରାଙ୍ଗ ପଂଚାୟତକୁ ଭାଗକରାଯାଇ ୬ ଗୋଟି ରାଜସ୍ୱ ଗ୍ରାମ ଯଥା ବଡ଼ବର୍ଚ୍ଚିକୟାଁର ୧୧୮୦ଜଣ, ବିଶଲକଣାର ୧୦୭୪ଜଣ, ଆପ୍ତିରାଷଡ଼ଙ୍ଗୀର ୮୨୦ଜଣ, ରାଉତରାଗଡ଼ିଆର ୭୨୬ଜଣ, କୁସୁନନଗରର ୭୩୫ଜଣ ଓ ଜୟସିଂହପୁରର ୨୧୬ଜଣ ଲୋକସଂଖ୍ୟା ମୋଟ ୪୭୫୧ ଲୋକସଂଖ୍ୟାକୁ ନେଇ ନୂତନ ଭାବେ ବଡ଼ବର୍ଚ୍ଚିକୟାଁ ପଂଚାୟତ ଗଠନ କରାଯାଇଥିଲା। ପଂଚାୟତ ଗଠନ ହେବାପରେ ନିର୍ବାଚିତ ଜନନେତା ତାଙ୍କ ପ୍ରଥମ ପାଳି ସାରିବାକୁ ବସିଥିଲେ ସୁଦ୍ଧା ପଂଚାୟତ ଗଠନର ଆଭିମୁଖ୍ୟ ଠାରୁ ବହୁ ଦୂରରେ ବଡ଼ବର୍ଚ୍ଚିକୟାଁ ପଂଚାୟତ ରହିଯାଇଥିବାର ଜଣାପଡ଼େ। ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବହୁ ବାଦବିବାଦ ମଧ୍ୟରେ ପଂଚାୟତ ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ସରକାରୀ ସ୍ତରୀୟ ଘୋଷଣା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ସେହିପରି “ଆମ ଗାଁ ଆମ ବିକାଶ” ଯୋଜନାକୁ ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ସୁ୍ଦ୍ଧା ଏହି ଯୋଜନାରେ ଅର୍ନ୍ତଭୁକ୍ତ ବିଭିନ୍ନ ପ୍ରକଳ୍ପକୁ ନଜରକୁ ନେଲେ ଏହା ଏଠାରେ ସଂପୂର୍ଣ୍ଣ ଫେଲ ମାରିଥିବାର ଜଣାପଡ଼ିଛି। ସେହିପରି ପଂଚାୟତ ଗଠନ ହେବା ପରେ ଉକ୍ତ ପଂଚାୟତ ଅର୍ନ୍ତଗତ କୁସୁନନଗର ଠାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏକ ଗୋଷ୍ଠିକେନ୍ଦ୍ର ନିର୍ମାଣ ନିମନ୍ତେ ସିଏଫସି ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ମଂଜୁର ହୋଇଥିଲା। ଯାହାକି ଉକ୍ତ ପଂଚାୟତର ପ୍ରଥମ ପ୍ରକଳ୍ପ ହୋଇଥିବା ବେଳେ ଉକ୍ତ ପ୍ରକଳ୍ପଟି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଗ୍ରେଡ଼ବିମରେ ଅଟକି ରହିଛି ପ୍ରକଳ୍ପ ନିର୍ମାଣ। କୁସୁନନଗର ଗାଁ ମଧ୍ୟ ଭାଗ ଦେଇ ପ୍ରଭାହିତ ରସସାଗର ନାଳ ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ପୋଲଟିଏ ଥିଲେ ସୁଦ୍ଧା ଏହା ଉପରେ ଆଜି ସୁଦ୍ଧା ସ୍ଥାୟୀ ପୋଲ ନିର୍ମାଣ ହୋଇପାରିନାହିଁ। ସେହିପରି ଜୟସିଂହପୁର, ଆପ୍ତିରାଷଡ଼ଙ୍ଗୀ ଓ ଚାପୁଣ୍ଡିଆ ସାହିକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିନାହିଁ। ଗ୍ରାମବାସୀମାନେ ବିପଦ ସଂକୁଳ ରାସ୍ତାରେ ଯାତାୟାତ କରୁଛନ୍ତି। ଉକ୍ତ ପଂଚାୟତ ଅନ୍ତର୍ଗତ ବହୁ ଗ୍ରାମରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ଷାଦିନେ ସାହିବାସୀ ପାଣିଘେରରେ ରହୁଥିବାର ଦେଖିବାକୁ ମିଳୁଛି। ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ପଂଚାୟତ ଅନ୍ତର୍ଗତ ବହୁ ବିଦ୍ୟାଳୟ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଉକ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନଥିବା ଜଣାପଡ଼ିଛି। ଉକ୍ତ ପଂଚାୟତରେ ଲାଗି ରହିଥିବା ଏହିପରି ବିଭିନ୍ନ ସମସ୍ୟାକୁ ଆକଳନକୁ ନେଲେ ସରକାର ଯେଉଁ ଆଭିମୁଖ୍ୟ ନେଇ ନୂତନ ପଂଚାୟତ ଗଠନ କରିଥିଲେ ତାହା ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସଫଳ ହୋଇପାରୁନଥିବା ପରିଲକ୍ଷିତ ହୋଇଛି। ଏଥିପ୍ରତି ଜନନାୟକ ଦୃଷ୍ଟି ନଦେଲେ ତାହା ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତିଫଳନ ହେବା ସୁନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।