Odiapua.com

ନୟାଗଡ଼: ୬୩ ଅଭିଯୋଗ ଶୁଣାଣିରେ ତତ୍‌କାଳରେ ୨୪ କେଶ୍ ସମାଧାନ

ନୟାଗଡ଼, ୧୮ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଗଣିଆ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ। ସମୁଦାୟ ୭୦ଗୋଟି ଅଭି÷ଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୫୮ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୫ଗୋଟିର ଶୁଣାଣି କରାଯାଇ ସମୁଦାୟ ୨୪ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ମୋଟ ୭୧ ହଜାର ଟଙ୍କା ଏବଂ ରେଡକ୍ରସରୁ ୦୧ଜଣ ଦରଖାସ୍ତକାରୀଙ୍କୁ ୧୫ ହଜାର ଟଙ୍କା ଆର୍ଥିକ ଅନୁଦାନ ମଂଜୁର କରାଯାଇଥିଲା। ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଗଣିଆ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା, ଉପାଧ୍ୟକ୍ଷ ଗଣିଆ ପଂଚାୟତ ସମିତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଣିଆ, ତହସିଲଦାର ଗଣିଆ, ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା. ଟୁଡୁଙ୍କୁ ସହଯୋଗ କରିଥିଲେ।