Odiapua.com

ନୟାଗଡ଼ ସାଂସ୍କୃତିକ ମହୋତ୍ସବ ‘ଚିତ୍ରରଙ୍ଗ’ ଅନୁଷ୍ଠିତ

ନୟାଗଡ଼, ୭ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର କଳା, ସାହିତ୍ୟ ଓ ସଂସ୍କୃତିର ସମାହାର ନୟାଗଡ଼ ସାଂସ୍କୃତିକ ମହୋତ୍ସବ ‘ଚିତ୍ରରଙ୍ଗ’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ପୂର୍ଣ୍ଣ ପ୍ରେକ୍ଷାଳୟ ଠାରେ ଆୟୋଜିତ ଭରପୂର ମନୋରଂଜନର ଚିତ୍ରଲିପି ‘ଚିତ୍ରରଙ୍ଗ’ର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ କଳା, ସାହିତ୍ୟ ଓ ସଂସ୍କୃତିର ପରିଭାଷା ଚିତ୍ରରଙ୍ଗର ଏପରି ନୂଆ ପରିକଳ୍ପନାକୁ ଭୂୟଂଶି ପ୍ରଶଂସା କରିବା ସହିତ କଳା ପ୍ରତି ଆଗ୍ରହ ଓ ଏହାକୁ ଅନୁକରଣ ଏବଂ ଅନୁସରଣ କରି କଳାର ମହନୀୟତାକୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେତେବେଳର ଡ୍ରଇଁ ଓ ଆଜିର ଆର୍ଟ ଉପରେ ପାର୍ଥକ୍ୟ ଦର୍ଶାଇ ମନ୍ତ୍ରୀ ଡ. ସାହୁ କହିଲେଯେ ଚିତ୍ରକଳାରେ ଲୁଚିଥିବା ଅବ୍ୟକ୍ତ ଭାଷାକୁ ପରିପ୍ରକାଶ କରି ସାର୍ବଜନୀନ କରିବା ଏକ ଦୁରୁହ ବ୍ୟପାର। ଏହାକୁ ଯେ ଖୋଜି ପାରିଲା ସେ ହେଉଛି କଳାର ଯାଦୁଗର। ଏହି କଳାକାର ପ୍ରାଣକୁ ପ୍ରଶଂସା କରିବା ସହିତ କଳାକୁ ଆଦର କରିବା ଉଚିତ ବୋଲି କହିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ନୟାଗଡ଼ ସଦସ୍ୟ ଅଶୋକ କୁମାର ନାୟକ, ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ଅନୁଷ୍ଠାନର ସଭାପତି ବସିରନ ବିବି ପ୍ରମୁଖ ଯୋଗଦେଇ ତଥାକଥିତ କଳା, ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଚିତ୍ରରଙ୍ଗ ପକ୍ଷରୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଇଥିବା ଚିତ୍ରକଳା, ଫଟୋ ପ୍ରଦର୍ଶନୀ ଓ ବିଭିନ୍ନ ଆକର୍ଷଣୀୟ ଝୋଟି ଦେଖି ଖୁବ୍ ପ୍ରଶଂସାଂ କରିଥିଲେ। ଉଦ୍ଯାପନୀ ସଭାରେ ଡିଏଫଓ ଏଚ ଡି ଧନରାଜ ବିଶେଷ ଅତିଥିଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରିଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କବିତା ଆସର, ଆଲୋଚନା ପର୍ବ ସହ ଲୋକନୃତ୍ୟ, ଦାଶକାଠିଆ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ‘ଚିତ୍ରରଙ୍ଗ’ର ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।