Odiapua.com

ନୟାଗଡ଼ ମହିଳା ଆୟୋଗଙ୍କ ଶିବିର ଅଦାଲତରେ ମହିଳାଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ କମିଶନର ଡ.ମିନତୀ ବେହେରା ଯୋଗଦେଇ ମହିଳାଙ୍କ ଅର୍ଥନୈତିକ, ସାମାଜିକ ସୁରକ୍ଷା ଉପରେ ଗୁରୁ୍‌ତ୍ୱ ଦେବା ସହ ସମାଜରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଶିବିର ଅଦାଲତରେ ସମୁଦାୟ ୫୬ଟି କେସ୍ ଦାୟର ହୋଇଥିବାବେଳେ ୩୮ଟି କେସ୍‌ର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ୩୮ଟି କେସ୍ ମଧ୍ୟରୁ ୧୩ଟି କେସ୍‌ରେ ଉଭୟ ପକ୍ଷ ଉପସ୍ଥିତ ଥିଲାବେଳେ ୨୦ଜଣ ପିଟିସନର ଉପସ୍ଥିତ ଥିଲେ ଏବଂ ୫ଟି କେସ୍‌ର ବିପକ୍ଷ ପାର୍ଟି ମଧ୍ୟ ଉପସ୍ଥିତ ରହିଥିଲେ। ସେଥିମଧ୍ୟରୁ ୧୦ଗୋଟି କେସ୍‌ ଫଇସଲା କରାଯାଇଥିଲାବେଳେ ଗୋଟିଏ କେସ୍ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପ୍ରେରଣ କରାଯାଇଥିଲା ଓ ୨ଗୋଟି କେସ୍ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ୨୦ ଗୋଟି କେସ୍‌କୁ ପୁନଃ ଶୁଣାଣି ପାଇଁ ନୋଟିସ୍ ଜାରି କରାଯାଇଥିଲା। ଗୋଟିଏ କେସ୍ କୁ ସହଯୋଗ ନମିଳିବାରୁ ବନ୍ଦ କରାଯାଇଥିଲା। ୪ଟି କେସ୍‌ର ସ୍ପଷ୍ଟ ତଦନ୍ତ କରାଯିବା ପାଇଁ ସ୍ଥିର ହେବା ସହ ୨ଟି ନୂଆ କେସ୍ ପଂଜିକୃତ କରାଯାଇଥିଲା। ଏହି ଶିବିରରେ ଜିଲାପାଳଙ୍କ ସମେତ ଏସ୍ ପି ସିଦ୍ଧାର୍ଥ କଟାରିଆ, ସଦସ୍ୟା ସ୍ନେହାଜଂଳୀ ମହାନ୍ତି, ଜଲିନା ପ୍ରିୟଦର୍ଶିନୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ଭୋଳେଶ୍ୱର କହଁର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ, ସିଡିପିଓ ତଥା ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ଦାଶ, ଆସ୍ଥା ସେଲର ସଦସ୍ୟା ପ୍ରଭାସିନୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।