Odiapua.com

ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ ବୈଠକ

ନୟାଗଡ଼, ୦୫.୦୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ପୂର୍ବାହ୍ନ ଘ.୧୦.୧୫ମି. ସମୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ନୂତନ ସମ୍ମିଳନୀ ଗୃହ “ସୁରଭି”, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ କଲୋନୀର ଶୁଭ ଉଦ୍ଘାଟନ କରି ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ। ସର୍ବପ୍ରଥମେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାଏକ ବୈଠକକୁ ବିଧାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା, ସମସ୍ତ ଜନପ୍ରତିନିଧି ଏବଂ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ମାନ୍ୟବର ବିଧାୟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ବିଭିନ୍ନ କୋଠାଘର ଓ ବିଭିନ୍ନ ରାସ୍ତା ଗୁଡ଼ିକର ସମୀକ୍ଷା କରିଥିଲେ। ବକେୟା ଥିବା କାର୍ଯ୍ୟ ଗୁଡ଼ିକ ବର୍ଷା ପୂର୍ବରୁ ଯଥା ଶୀଘ୍ର ଶେଷ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ କାର୍ଯ୍ୟାଳୟ ନ ଥିବା ବିଭାଗ ଗୁଡ଼ିକ ଯଥା- ଉଠା ଜଳସେଚନ, ଶ୍ରମ ବିଭାଗ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର କାର୍ଯ୍ୟାଳୟ ତିଆରି କରିବା ପାଇଁ ବିହିତ ପଦକ୍ଷେପ ନେବା ସଂପର୍କରେ ଆଲୋଚନା କରିଥିଲେ। ଏହାପରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ଅସମାପ୍ତ ଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ କହିଥିଲେ। ସେହିପରି ଜଳସେଚନ, ଉଠା ଜଳସେଚନ ବିଭାଗର କାର୍ଯ୍ୟ ଗୁଡ଼ିକୁ ସମୀକ୍ଷା କରି ବକେୟା ଥିବା କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା କାର୍ଯ୍ୟଗୁ ଡ଼ିକର ସମୀକ୍ଷା କରି ବର୍ଷା ପୂର୍ବରୁ କାମଗୁଡ଼ିକ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ସେସୁ ଓ ଫିଡ୍କୋ ବିଭାଗ ଦ୍ୱାରା ନୟାଗଡ଼ ଓ ଓଡ଼ଗାଁ ବ୍ଲକର ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେସ ଦେଇଥିଲେ। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ପାନୀୟଜଳ ଯୋଗାଣ କରିବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳର ସଠିକ୍ ବ୍ୟବହାର ପାଇଁ ଏବଂ ପାଇଖାନାର ବ୍ୟବହାର ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ମତ ପ୍ରକାଶ କରିଥିଲେ। ସିନ୍ଦୁରିଆ ପାଇପ୍ ଲାଇନକୁ ସଜାଡ଼ିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଲାଠିପଡ଼ା, ବିରୁଡ଼ା, ବାଲୁଗାଁ ଆଦି ଗ୍ରାମଗୁଡ଼ିକରେ ପାନୀୟଜଳ ସଠିକ୍ ଭାବେ ଯୋଗାଇ ଦେବା ପାଇଁ କହିଥିଲେ। ପରିଶେଷରେ ଜାତୀୟ ରାଜପଥର ବିଭିନ୍ନ ସମସ୍ୟା ସଂପର୍କରେ ବିହିତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲାପାଳ ଡ. ଏନ. ତିରୁମାଲା ନାଏକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଅଭୟ କୁମାର ନାୟକ, ନୟାଗଡ଼ ନଗରପାଳ ଶ୍ରୀ ଗୁରୁପ୍ରସାଦ ଜେନା, ନୟାଗଡ଼ ପଂଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୋଲାପ ଦଳବେହେରା ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ।