Odiapua.com

ନୟାଗଡ଼ ପୁରୁଣା ଜେଲଜାଗାକୁ ଖୋଲାପାର୍କିଂ ସ୍ଥାନ କରିବାକୁ ଦାବି

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ଜାତୀୟ ରାଜପଥର ନୟାଗଡ଼ ସହର ଟ୍ରାଫିକ ଛକ ତଥା ନୟାଗଡ଼ ସା‌ମ୍ବାଦିକ ଭବନ ସାମନାରେ ଅବ୍ୟବସ୍ଥା, ଅବ୍ୟବହୃତ ଓ ଅପନ୍ତରାଭାବେ ପଡ଼ି ରହିଥିବା ପୁରୁଣା ଜେଲଜାଗାକୁ ଖୋଲାପାର୍କିଂ ସ୍ଥାନ କରିବାକୁ ସିପିଆଇ(ଏମ୍‌)ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଦାବି କରିଛନ୍ତି। ଦୀର୍ଘବର୍ଷ ହେଲା ଏହି ପୁରୁଣା ଜେଲ ଏଠାରୁ ଉଠିଯାଇ ଖୁଟୁବନ୍ଧ ଗ୍ରାମ ନିକଟରେ କାର୍ଯ୍ୟକ୍ଷମ କରୁଛି। ଏଠାରୁ ଜେଲଖାନା ଉଠିଯିବା ପରେ ଏହି ପୁରୁଣା ଜେଲ ସ୍ଥାନରେ ଏକ ପାର୍କି ଜୋନ୍ କାର୍ଯ୍ୟ କରୁ ବୋଲି ଦାବି କରାଯାଉଥିଲା। କାରଣ ନୟାଗଡ଼ ସହରରେ କୌଣସି ପାର୍କିଜୋନ ନଥିବାରୁ ଏବଂ ଏହି ସ୍ଥାନଟି ସହରର ମଧ୍ୟସ୍ଥଳ ହୋଇଥିବାରୁ ଏହା ଉପଯୁକ୍ତ ସ୍ଥାନ ବୋଲି ବିଚେଚନ କରାଯାଉଥିଲା। ଏହି ସ୍ଥାନକୁ ନିଜ ଅକ୍ତିଆରକୁ ନେବାକୁ ବହୁ ସଂଗଠନ ଉଦ୍ୟମ କରିଥିଲେ ମଧ୍ୟ ପାର୍କିଂସ୍ଥାନ କରିବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବି କରାଯାଉଥିଲା। ବଜାରର କେନ୍ଦ୍ରସ୍ଥଳରେ ପୌରପରିଷଦ ଦ୍ୱାରା ସ୍ଥାପିତ ଜୁବୁଲି ମାର୍କେଟ, ରାଜୀବ ମାର୍କେଟ, ବିଜୁ ମାର୍କେଟ ପାଇଁ ଆଦୌ ପାର୍କିର୍ସ୍ଥାନ ନଥିବାରୁ ଅଗତ୍ୟା ରାସ୍ତା ଜାମ୍ ହୋଇ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ତେଣୁ ପୁରୁଣା ଜେଲଖାନା ସ୍ଥାନଟିକୁ କୌଣସି ମାର୍କେଟ କମ୍ଫେକ୍ସ କିମ୍ବା ଅଫିସ କୋଠା ଭାବରେ ବ୍ୟବହାର ନକରି ଖୋଲାପାର୍କିଂ ସ୍ଥାନ ଭାବରେ ପୌରପରିଷଦ ତତ୍ତ୍ୱାବଧାନରେ ପରିଚାଳନା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି। ଦୁର୍ଗାପୂଜା, ସାଧାରଣ ସଭା ସମିତି, ସାଂସ୍କୃତିକ ଅଡିଟୋରିୟମର ପାର୍କିଂ ପାଇଁ ବ୍ୟବହାର ହେବାରେ ଏହି ସ୍ଥାନ ଉପଯୁକ୍ତ କ୍ଷେତ୍ର ହେବା ସହ ନୟାଗଡ଼ ଜିଲ୍ଲାବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ନୟାଗଡ଼ ସହରର ଜନସଂଖ୍ୟା ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଗାଡ଼ିମୋଟର ଦିନକୁ ଦିନ ବଢୁଥିବାବେଳେ ପାର୍କିଂ ବ୍ୟବସ୍ଥା ନଥିବାରୁ ସହରବାସୀ ଓ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜିଲ୍ଲା ସଦର ମହକୁମାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ମଧ୍ୟ ଭାଗରେ ଥିବା ଏହି ପୁରୁଣା ଜେଲକୁ ଯଥାଶୀଘ୍ର ଭଙ୍ଗାଯାଇ ଖୋଲାପାର୍କିଂ ଜାଗା ଭାବେ ବିକଶିତ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ସରକାରଙ୍କ ପାଖରେ ଦାବି କରାଯାଇଛି।