ନୟାଗଡ଼, ୧୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରକ୍ତର ଅଭାବକୁ ପୂରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି। ରକ୍ତ ସଙ୍କଟ ଦୂର କରିବାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ବହୁ ସହାୟକ ହୋଇଛି। ଏହି ପରିପ୍ରେକ୍ଷିରେ କୋଭିଡ୍-୧୯ କଟକଣା ମଧ୍ୟରେ ମଧ୍ୟ ରକ୍ତ ସଂକଟକୁ ଦୂର କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ-ଅରୁଣ କୁମାର ସାହୁଙ୍କ ଆହ୍ୱାନ କ୍ରମେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୧୧୯୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି। ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଅପ୍ରେଲ ମାସଠାରୁ ଅଗଷ୍ଟ ମାସ ଭିତରେ ଏହି ରକ୍ତ ଦାନ କରିଛନ୍ତି। ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ପ୍ରଥମ ରକ୍ତଦାନ ଶିବିର ଅପ୍ରେଲ ୧୫ ଠାରୁ ଅପ୍ରେଲ ୩୦ ଭିତରେ ହୋଇଥିବାବେଳେ ଏଥିରେ ୪୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ଦ୍ୱିତୀୟ ରକ୍ତଦାନ ଶିବିର ମେ ମାସ ୨୫ ତାରିଖ ଠାରୁ ୧୮ ଜୁନ୍ ଭିତରେ ୪୦୬ ୟୁନିଟ୍, ତୃତୀୟ ରକ୍ତଦାନ ଶିବିର କ୍ରାନ୍ତିଦିବସ ଅଗଷ୍ଟ ୯ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ୩୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହିପରି ଭାବରେ ୩ ଟି ପର୍ଯ୍ୟାୟରେ ନୟାଗଡ଼ ନିର୍ବଚାନ ମଣ୍ଡଳୀର ନୟାଗଡ଼ ବ୍ଳକ, ଓଡ଼ଗାଁ ବ୍ଳକ, ନୟାଗଡ଼ ମୁୃନିସିପାଲିଟି ଓ ଓଡ଼ଗାଁ ଏନଏସିରୁ ସମୁଦାୟ ୧୧୯୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରକ୍ତଦାନ କରି ମହତ୍ କାର୍ଯ୍ୟ କରିଥିବା ସମସ୍ତ ରକ୍ତଦାତାକୁ ମନ୍ତ୍ରୀ ଡ-ସାହୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।