Odiapua.com

ନୟାଗଡ଼ ଜିଲ୍ଲା ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ

ନୟାଗଡ଼, ୧୨-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ପ୍ରଶାସନର ଜିଲ୍ଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ରବିବାର ଜିଲ୍ଳାସାମ୍ବାଦିକମାନେ କଳାବ୍ୟାଜ୍ ପରିଧାନ କରିଛନ୍ତି। ଏପରିକି ଏହାର ଉଚିତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମକୁ ବାସନ୍ଦ କରିବା ସହ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିବା ପାଇଁ ପୂର୍ତ୍ତ ଡାକବଙ୍ଗଳାରେ ଏକ ଦୃଢ ନିଷ୍ପତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ଶୁକ୍ରବାର ଜିଲ୍ଲା ନୋଡାଲ ସଚିବ ତଥା ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲା ଗସ୍ତରେ ଆସି ଜିଲ୍ଳାପାଳଙ୍କ ସଦ୍ଭାବନା ଗୃହରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏପରିକି ଏହି ବୈଠକରେ ଯୋଗଦେବାପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଡକାଯାଇଥିଲା। ବୈଠକ ଚାଲିଥିବାବେଳେ କର୍ତ୍ତବ୍ୟରତ ସାମ୍ବାଦିକ ବିଭୁତି ସ୍ୱାଇଁ ଖବର ସଂଗ୍ରହ କରିଥିଲେ। ଏହି ସମୟରେ ଜିଲ୍ଲାପାଳ କାହିଁକି ଭିଡିଓ ଉତ୍ତୋଳନ କରୁଛ ବୋଲି ବିଭୁତିଙ୍କୁ କହିବା ସହ ମୋବାଇଲରୁ ତାହା ବିଲୋପ କରିବାପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ସନ୍ତୋଷୀ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ତୁମକୁ କିଏ ଏଠି ଡାକିଲା ବୋଲି ବିଭୁତିଙ୍କୁ କହିଥିଲେ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ସନ୍ତୋଷୀ ସାହୁ ବିଭୁତିଙ୍କ ଠାରୁ ମୋବାଇଇ ଆଣି ଉତ୍ତୋଳନ କରାଯାଇଥିବା ଫଟୋ ଚିତ୍ରକୁ ବିଲୋପ କରିଥିଲେ। ଏହାକୁ ନେଇ ଜିଲ୍ଳା ସମ୍ବାଦିକ ସଂଘରେ ଆଲୋଡ଼ନ ସୃଷ୍ଟି ହେବା ସହ ଜିଲ୍ଲାପ୍ରଶାସନର ଏବେ ସାମ୍ବାଦିକଙ୍କୁ କାହିଁକି ଡର ବୋଲି ପ୍ରଶ୍ନ କରାଯାଇଛି। ଏହାକୁ ବ୍ୟାପକ କରିବା ପାଇଁ ଆସନ୍ତା ମଙ୍ଗଳବାରେ ଏକ ଶୋଭାଯାତ୍ରା କରାଯାଇ ପୂର୍ବାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ବସିବ ବୋଲି ନିଷ୍ପତି ନିଆଯାଇଛି।