Odiapua.com

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି ଅତିଶୀଘ୍ର

ନୟାଗଡ଼, ୨୯-୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବାକୁ ଯାଉଛି କେମୋଥେରାପି। ଯେଉଁ କ୍ୟାନସର ରୋଗୀମାନେ କେମୋ ନେବାପାଇଁ ଖର୍ଚ୍ଚାନ୍ତ ହୋଇ ନୟାଗଡ଼ ଛାଡ଼ି କଟକ ଯିବାକୁ ପଡ଼ୁଛି ସେମାନେ ଆଉ କଟକ ଯିବାକୁ ପଡ଼ିବ ନାହିଁ। ଏନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସବୁପ୍ରକାର ଆନୁସଙ୍ଗିକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଏଥିପାଇଁ କ୍ୟାନସର ରୋଗୀଙ୍କୁ କେମୋଥେରାପି ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଶ୍ରେଣୀର ବ୍ୟବସ୍ଥା କରାଯାଇଛି। ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସ ଏଥିପାଇଁ ନିୟୋଜିତ ହେବାକୁ ଠିକ୍ଠାକ୍ ସବୁ ଶେଷ ହୋଇଥିଲାବେଳେ ଆବଶ୍ରକ ସଂଖ୍ୟକ ଆଲମିରା, ଫି୍ରଜ୍, ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି। କର୍କଟ ରୋଗୀଙ୍କ ପାଇଁ କେମୋଥେରାପିରେ ଯେଉଁ ସବୁ ଔଷଧ ବ୍ୟବହାର ହେଉଛି ସେସବୁ ଔଷଧର ତାଲିକା କରାଯାଇ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ତାଲିକା ମଗାଯାଇଛି। କଟକରୁ ତାଲିକା ଆସିଲେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଔଷଧ କିଣା ଯିବାପାଇଁ ନିଷ୍ପତି ହୋଇଛି। କେମୋଥେରାପି ନେବାପାଇଁ ରୋଗୀ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ରୋଗୀମାନେ ଏଠାରେ କେମୋ ସୁବିଧା ନେବାପାଇଁ କୁହାଯାଇଥିଲାବେଳେ ପ୍ରତ୍ୟେକ ଗୁରୁବାର ଏବଂ କେବଳ ଦିନବେଳା ଏହି ଚିକିତ୍ସା ଚାଲିବ ବୋଲି ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି। କର୍ଳଟ ରୋଗୀଙ୍କ ପାଇଁ ଏଠାରେ କେମୋଥେରାପି ଆରମ୍ଭ ହୋଇଗଲେ ନୟାଗଡ଼ ଜିଲ୍ଳାର ତଥା ଆଖପାଖ ଜିଲ୍ଳାର ରୋଗୀମାନେ ଆଉ ଖର୍ଚ୍ଚାନ୍ତ ହୋଇ ଆଉ କଟକ ଯିବାକୁ ପଡ଼ିବ ନାହିଁ।