Odiapua.com

ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ରଜତ ଜୟନ୍ତୀ ପୂର୍ତ୍ତି ଉତ୍ସବ ପାଳିତ

ନୟାଗଡ଼, ୨ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଖେଳ ପଡ଼ିଆରେ ଜିଲ୍ଲା ପ୍ରତିଷ୍ଠା ଦିବସ ରଜତ ଜୟନ୍ତୀ ପୂର୍ତ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ରଣପୁର ପୂର୍ବତନ ବିଧାୟକ ତଥା ଜୀବନବିନ୍ଦୁର ସଂଯୋଜକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ସଂସଦୀୟ ବ୍ୟାପାର, ଗ୍ରାମ୍ୟ ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଆରୁଖ ନୟାଗଡ଼ର ବୀରଭୂମୀକୁ ଉଚ୍ଚ ପ୍ରଶଂସା କରିବା ସହିତ ଏଇମାଟିରେ ଜନ୍ମ ହୋଇଥିବା ବହୁ ଯୋଗଜନ୍ମା ମହାପୁରୁଷଙ୍କୁ ମନେ ପକାଇ ତାଙ୍କର ସ୍ମୃତି ଚାରଣ କରିବା ସହିତ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା କରିବାରେ ମୁଖ୍ୟ ପୁରୋଧା ଥିବା ଜନ ନାୟକ ବିଜୁ ପଟ୍ଟନାୟକ ଏବଂ ନୟାଗଡ଼ର ଟାଣୁଆ ନେତା ଭାଗବତ ବେହେରାଙ୍କ ବଳିଷ୍ଠ ଭୂମିକା ଭୁଲିବାରେ ନୁହେଁ ବୋଲି କହିଥିଲେ। ତେବେ ନୟାଗଡ଼ ଜିଲ୍ଳା ଆଜିକୁ ୨୫ବର୍ଷ ପୂରଣ କରୁଥିବାରୁ ଏବଂ ନୟାଗଡ ଜିଲ୍ଲାବାସୀ ତାହାର ରଜତ ଜୟନ୍ତୀ ପୂର୍ତ୍ତି ଉତ୍ସବ ପାଳନ କରୁଥିବାରୁ ଆନନ୍ଦ ପ୍ରକଟ କରିବା ସହିତ କୃତଜ୍ଞତା ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ, ବିଧାୟକ ଡ.ଅରୁଣ କୁମାର ସାହୁ, ବିଧାୟକ ରବିନାରାୟଣ ମହାପାତ୍ର, ବିଧାୟକ ଅନୁଭବନ ପଟ୍ଟନାୟକ, ବିଧାୟକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଜିଲ୍ଳାପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ଉପାଧ୍ୟକ୍ଷ ଅଖିଳ କୁମାର ଜାନୀ, ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ଜିଲ୍ଲା ଗଠନର ତାତ୍ପର୍ଯ୍ୟ ଓ ଜିଲ୍ଲା ହେବା ପରେ ହାତ ପାଆନ୍ତାରେ ଜିଲ୍ଳାବାସୀଙ୍କ ସୁବିଧା ସୁଯୋଗକୁ ବଖାଣି ଥିଲେ। ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ନୟାଗଡ଼ ବନ୍ଦନା, ଲୁବୁନ୍-ଟୁବୁନ୍ଙ୍କ ଡ୍ୟାନ୍ସ ଗ୍ରୁପ୍, ଚଳଚ୍ଚିତ୍ର ତାରକା ଓମ୍ ଓ ଲୁବୁନଙ୍କ ନୃତ୍ୟ ଅଭିନୟ ଚିତାକର୍ଷକ ହୋଇଥିଲାବେଳେ ଚଳଚ୍ଚିତ୍ର ତାରକା ଅଙ୍କିତା ଭୈମିକ ଏହି ଉତ୍ସବର ଆକର୍ଷଣ ପାଲଟିଥିଲେ।