Odiapua.com

ନୟାଗଡ଼ ଜିଲାରେ ସମନ୍ନିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଆରମ୍ଭ

ନୟାଗଡ଼, ୨୮-୬:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଟିମ୍ ଜିଲାର ବିଭିନ୍ନ ଅଂଚଳକୁ ଯାଇ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ନିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ବିଷୟରେ ଅବଗତ କରାଉଛନ୍ତି। ଏହି କାର୍ଯ୍ୟ କରିବା ପାଇଁ ନୟାଗଡ଼ ଜିଲାପାଳ ଡ-ପୋମା ଟୁଡୁ ଗତ ୨୫ ତାରିଖରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲାବେଳେ ଏହି ଟିମ୍ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଏଏନଏମ୍ ମାନଙ୍କୁ ନେଇ ଗଠନ କରାଯାଇଛି। ଏହି ଟିମ୍ ଘର ଘର ବୁଲି ମେଲେରିଆ, ଜ୍ୱର, ଝାଡ଼ା, ଥଣ୍ଡା, କାଶ, ଟିବି ଆଦି ରୋଗୀଙ୍କ ସମ୍ପର୍କରେ ସର୍ଭେ କରୁଛନ୍ତି। ସେମାନେ ରୋଗୀମାନଙ୍କୁ ଆବଶ୍ୟକସ୍ଥଳେ ଜିଙ୍କ୍‌, ଓଆରଏସ୍ ପାଉଡର ଠିକ୍ ଦିଆଯାଉଛିକି ନାହିଁ ତାହା ତଦାରଖ କରିବେ। ଥଣ୍ଡା କାଶ ଦେଖାଦେଲେ ସଙ୍ଗେ ସଙ୍ଗେ ସେମାନଙ୍କ ସ୍ୱାବ ସଂଗ୍ରହ କରି କରୋନା ଟେଷ୍ଟ କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଉଛନ୍ତି। ଏହି ଅଭିଯାନ ଜୁନ ୧୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ-ପ୍ରମୋଦ କୁମାର ନାୟକ ଜଣାଇଛନ୍ତି।