Odiapua.com

ନୟାଗଡ଼ ଚିନିକଳ ସମ୍ପତ୍ତିର ମୂଲ୍ୟ ପୁନଃ ଆକଳନ

ନୟାଗଡ଼, ୨୮ା୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଚିନିକଳର ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆଜି ପୁନଃ ଆକଳନ ଶେଷ ହୋଇଛି। ତେବେ ସମ୍ପତ୍ତି ତାଲିକା ଗଣମାଧ୍ୟମ ଆଗରେ ସାର୍ବଜନୀତନ କରାଯିବା ପାଇଁ ଯେଉଁ ଆଶା କରାଯାଉଥିଲା ତାହା ହୋଇପାରିନାହିଁ। ଗତବର୍ଷ ଯାହା ଆକଳନ କରାଯାଇଥିଲା ସେଥିମଧ୍ୟରୁ ସିଂହଭାଗ ଯନ୍ତ୍ରାଂଶ ଚୋରି ହୋଇଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଚିନିକଳର ବିଭିନ୍ନ କୋଠରିରେ ତାଲା ପକାଯାଇ ଜଉମୁଦ ବେଇ ଯେଉଁ ସିଲ୍ କରାଯାଇଥିଲା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋର ତାଲା କାଟି ବହୁ ଯନ୍ତ୍ରାଂଶ ଓ ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିବା ଜଣାପଡ଼ିଛି। ଚିନିକଳର ଯନ୍ତ୍ରାଂଶ ବାରମ୍ବାର ଚୋରି ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନଥିଲା। ଚିନିକଳର ପରିଚାଳନା ଦାୟିତ୍ୱ ନେଇଥିବା ନୟାଗଡ଼ ସୁଗାର କମ୍ପେ୍ଲକ୍ସ ଲିମିଟେଡ୍ ଅଧ୍ୟକ୍ଷ ତ୍ରୈଲୋକ୍ୟ ମିଶ୍ର ହାଇକୋର୍ଟଙ୍କ ଦ୍ନାରସ୍ଥ ହୋଇଥିଲେ। ହାଇକୋଟଁ ଗତି ଡିସେମ୍ବର ୪ତାରିଖରେ ଚିନକଳ ସୁରକ୍ଷା ଦାୟିତ୍ୱ କରିବାକୁ ନୟାଗଡ଼ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଚିନିକଳର ସମ୍ପତ୍ତି ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷିରେ ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା। ବିଶେଷସୂତ୍ରରୁ ଯାହା ଜଣାପଡ଼ିଥିଲା ଗତବର୍ଷ ୧୭୧ ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଥିଲା। ଯାହା ମଧ୍ୟରେ ଅନେକ ଯନ୍ତ୍ରାଂଶ ସ୍ଥାନରେ ନଟ୍ ଆଭେଲେବଲ୍ ବୋଲି ଦର୍ଶାଯାଇଥିବା ଜଣାପଡ଼ିଛି। ଏହି ଯନ୍ତ୍ରାଂଶ ସବୁ କେମିତି ଉଭାନ ହୋଇଗଲା ବୋଲି ଅନେକଙ୍କ ମନରେ ଯାହା ଅସମାହିତ ପ୍ରଶ୍ନ। ମିଲ୍ ହାଉସର ୧୬ଟି ସାମଗ୍ରୀ ମଧ୍ୟରୁ ୩ଟି ନଟ୍ ଆଭେଲେବଲ୍ ଦର୍ଶାଯାଇଛି। ସେହିଭଳି ବଏଲର୍ ମଧ୍ୟରେ ୮ଟି, ପମ୍ପ ହାଉସ ମଧ୍ୟରେ ୭ଟି, ବଏଲିଂ ହାଉସରେ ୪୬ଟ ସାମଗ୍ରୀ ତାଲିକା କରାଯାଇଥିଲା। ୱାର୍କସପ୍‌ରେ ୧୬ଟି ସାମଗ୍ରୀ ଭଳି ବିଭିନ୍ନ ବିଭାଗର ସାମଗ୍ରୀ ତାଲିକା କରାଯାଇଥିଲା। ଏଥିନିମନ୍ତେ ମଧ୍ୟ ଆସ୍କା ଚିନିକଳରୁ ବିଶେଷଜ୍ଞ ଟିମ୍ ଆସିଥିଲେ। ଏହି ତାଲିକାରେ ନୟାଗଡ଼ ଉପଜିଲାପାଳ, ନୟାଗଡ଼ ସମବାୟ ଚିନିକଳ ଏମ ୍ ଡି, ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର, ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରମୁଖ ଦସ୍ତଖତ କରିଥିବା ଦେଖିବାକୁ ମିଳିଥିଲାବେଳେ ଏବର୍ଷ କରାଯାଇଥିବା ଚିନକଳ ସମ୍ପତ୍ତି ତାଲିକାରେ ସମସ୍ତଙ୍କ ନଜର ରହିଥିଲା। ତେବେ ଚିନିକଳ ସମ୍ପତ୍ତିର ମୂଲ୍ୟ ସାର୍ବଜନୀନ ହୋଇନଥିବାରୁ ତାହା ଜାଣିବା ସମ୍ଭବପର ହୋଇପାରିନଥିଲା। ଚିନିକଳ ସମ୍ପତ୍ତି ପୁନଃ ଆକଳନ ଆଜି ବ୍ୟାପକ ସୁରକ୍ଷା ଭିତରେ ସମାପନ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲାପାଳ ଲଗ୍ନଜିତ ରାଉତ, ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତିରେ ଏହି ସମ୍ପତ୍ତି ଆକଳନ କରାଯାଇଥିଲାବେଳେ ଆସ୍କା ଚିନିକଳର ଦୁଇ ଜଣିଆ ବୈଷୟିକ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ଯନ୍ତ୍ରାଂଶ ତନ୍ନ ତନ୍ନ ଯାଂଚ ବେଳେ ସିସି ଟିଭି ଲଗାଯାଇଥିଲା ଓ ଗାର୍ଡପୋଷ୍ଟ ନିର୍ମାଣ କରାଯାଇଥିଲା। ତେବେ ଚିନିକଳ ସମ୍ପତ୍ତି ତାଲିକା ସନ୍ତୋଷଜନକ ଭାବେ ହୋଇନଥିବା ନେଇ ଅଭିଯୋଗ ଉଠୁଥିବା କୁହାଯାଉଛି।