Odiapua.com

ନୟାଗଡ଼ ଚିନିକଳର ମାଲିକାନାକୁ ନେଇ ପ୍ରଶ୍ନ :୫୦କୋଟିର ସଚଳ ଚିନିକଳକୁ ଅଚଳ କଲା କିଏ ?

ନୟାଗଡ଼, ୧ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଚିନିକଳ କାହା ମାଲିକାନାରେ ଅଛି ତାହା ଏବେବି ନୟାଗଡ଼ବାସୀଙ୍କୁ ଅଗୋଚର। ଚାହୁଁ ଚାହୁଁ ୫୦ କୋଟିର ବୃହତ୍ ସଚଳ ଚିନିକଳ ଅଚଳ ହୋଇଗଲା। ନୟାଗଡ଼ ଚାଷୀଙ୍କର ଭାତ ହାଣ୍ଡି ବୋଲାଇଥିବା ନୟାଗଡ଼ ଚିନିକଳ ଏବେ ମରଣମୁହଁରେ। ଆଖୁ ଚାଷୀମାନେ ନା କାନ୍ଦି ପାରୁଛନ୍ତି ନା କାହାକୁ କହିପାରୁଛନ୍ତି। କେବଳ ଗୁମୁରି ଗୁମୁରି କାନ୍ଦିବା ଛଡ଼ା ସେମାନଙ୍କ ପାଇଁ ଉପାୟ ଆଉକିଛି ନାହିଁ। ନୟାଗଡ଼ ମାଟି ଆଖୁଚାଷ ପାଇଁ ଉତ୍କୃଷ୍ଟ ବୋଲି ୧୯୮୮ ମସିହାରେ ନୟାଗଡ଼ରେ ଚିନିକଳ ହୋଇଥିଲା। ଚିନିକଳ ହେବା ପରେ ଆଖୁ ଚାଷ ଯେତିକି ଚାଷୀମାନେ କରୁଥିଲେ ଅଧିକ ଲାଭବାନ ହେବା ଆଶାରେ ଧାନ ଫସଲ ଛାଡ଼ି ଆଖୁଚାଷରେ ମନୋନିବେଶ କରିଥିଲେ। ଲାଭବାନ ବି ହେଉଥିଲେ। ହେଲେ ବୁଡ଼ିଗଲା ଚିନିକଳ। ଗାଁ ଗାଁରେ ଆଖୁର ଫସଲରେ ଯେଉଁଠି ଚାଷୀ କୃତ୍ୟ କୃତ୍ୟ ହେଉଥିଲା ସେଠାରେ ଚାଷି ମୁଣ୍ଡରେ ଚଡ଼କ ପଡ଼ିଲା। ଜିଲାରେ ଯେଉଁଠି ଆଖୁ ଫସଲର ସବୁଜିମା ଦୃଶ୍ୟମାନ ହେଉଥିଲା ସେଠାରେ ଏବେ ଆଖୁ ଫସଲର ବୁଡ଼ିବାକୁ ବସିଲା। ୨୦୧୪ ମସିହାରୁ ନୟାଗଡ଼ ସମବାୟ ଚିନିକଳ ଏବେ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲାବେଳେ ୨୦୦୪ ମସିହାରେ ଘରୋଇ କମ୍ପାନୀକୁ ବିକ୍ରି କରାଯାଇଥିବା ଚନିକଳ ବର୍ତ୍ତମାନ କାହା ମାଲିକାନାରେ ରହିଛି ବୋଲି ଏବେବି ଅସ୍ପଷ୍ଟ ରହିଛି। ଚିନିକଳ ଯେତେବେଳେ ଚାଲୁକରିବା ସମ୍ବବପର ହେଲାନି ସେତେବେଳେ ସରକାର ଏକ ଘରୋଇ କମ୍ପାନୀକୁ ବିକ୍ରି କରିବା ଲକ୍ଷ୍ୟରେ ଶିଲ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ୫କୋଟି ୨୨ ଲକ୍ଷ ଟଙ୍କାରେ ଶାଗମାଛ ଦରରେ ବିକ୍ରି କରାଯାଇଥିଲା। ସେତେବେଳେ ବିଜେଡି-ବଜେପି ସରକାର ଥିଲାବେଳେ ବିଜେପିର ସୁରମା ପାଢୀ ସମବାୟ ମନ୍ତ୍ରୀ ଥିଲେ। ସମବାୟ ମନ୍ତ୍ରୀ ସୁରମା ପାଢୀ କାହିଁକି ଚିନିକଳକୁ ଏତେ କମ୍ ଦରରେ ବିକ୍ରି କରିବାକୁ ସୁପାରିଶ କଲେ ତାହା ଏବେବି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେତେବେଳେ ତ୍ରୈଲୋକ୍ୟ ମିଶ୍ର ତାଙ୍କ ଏନଏସ୍‌ସିଏଲ୍ କମ୍ପାନୀ ନାମରେ ଚିନିକଳ ଚାଲୁ କରୁଥିଲେ ା ଚିଠି ସଂଖ୍ୟା.୧୪୪୮/୧୯.୦୧.୨୦୧୦ରେ ସମସ୍ତ ପାଉଣା କମ୍ପାନୀ ସମବାୟ ବିଭାଗକୁ ପ୍ରଦାନ କରିସାରିଥିବା କୁହାଯାଉଥିବାବେଳେ ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ହୋଇନଥିବାରୁ ସରକାର ଚିନିକଳ ଉପରେ କତ୍ତ୍ୱର୍ତ୍ୱ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସମବାୟ ବିଭାଗକୁ ସମ୍ପୁଣ୍ଣ ଟଙ୍କା ଶୁଝିବାକୁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଥିଲା। ସେହି ସମୟସୀମା ଭିତରେ ଶ୍ରୀ ମିଶ୍ର ଟଙ୍କା ଶୁଝିନଥିବାବେଳେ କିଭଳି ଶ୍ରୀ ମିଶ୍ର ୟୁକୋ ବ୍ୟାଙ୍କରୁ ଚିନିକଳକୁ ଦେଖାଇ ୨୨ କୋଟି ଟଙ୍କା ଋଣ କରିଥିଲେ ବୋଲି ନୟାଗଡ଼ କଂଗ୍ରେସ ପଶ୍ନ କରିଛି। ୩୦ ବର୍ଷପୂର୍ବେ ପ୍ରତିଷ୍ଠା ହୋଇଥିବା ୧୨୫୦ ଡିସିଡିର ଚିନିକଳ ପ୍ଲାଂଟକୁ ୫ହଜାର ଡିସିଡି ପ୍ଲାଂଟକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିଲା। ତେବେ କମ୍ପାନୀ ଚିନିକଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଆଖୁଚାଷୀମାନଙ୍କର ବକେୟା ଟଙ୍କା ନଦେବା ଅଭିଯୋଗ ହୋଇଥିଲାବେଳେ ଚିନିକଳ ବନ୍ଦ ହୋଇଯିବା ଭଳି ପରିସ୍ଥିତି ଉପୁଜିଲା ବୋଲି ଅନୁରୂପ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସରକାରଙ୍କ ଠାରୁ ଚିନିକଳ କିଣିବା ବେଳେ ଯେଉଁ ସର୍ତ୍ତ ହୋଇଥିଲା ସେସବୁକୁ ସରକାର ପୂରଣ କରିନଥିବାରୁ ଏନ୍‌ଏସ୍‌ସିଏଲ୍ ର କ୍ଷତି ହୋଇଥିବା ଅଭିଯୋଗ କରିି କମ୍ପାନୀ ମାଲିକ ତ୍ରୈଲୋକ୍ୟ ମିଶ୍ର ହାଇକୋଟଁର ଦ୍ୱାରସ୍ଥ ହୋଇଥିବାବେଳେ ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ରହିଛି। ବିବାଦ ଭିତରେ ନୟାଗଡ଼ ଚିନିକଳ ଛନ୍ଦି ହୋଇ ମାଟିରେ ମିଶିବାକୁ ବସିଥିବାବେଳେ ନୟାଗଡ଼ ଆଖୁଚାଷୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବା ସହ ନୟାଗଡ଼ରୁ ଆଖୁଚାଷ ଲୋପ ହେବାକୁ ବସିଛି। ତେବେ ୫୦ କୋଟିର ସଚଳ ଚିନିକଳକୁ ଶାଗମାଛ ଦରରେ ବିକ୍ରି କରି ଅଚଳ କରିବା ଓ ଏହାର ମାଲିକାନା କିଏ ନେଇ ବିଭିନ୍ନ ମହଲରେ ଏବେ ଜୋରଦାର ପ୍ରଶ୍ନ ଉଠୁଛି।