Odiapua.com

ନୟାଗଡ଼ : ଗ୍ରାମ ରୋଜଗାର ସେବକ ଚାକିରୀରୁ ବହିସ୍କୃତ

ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଭାପୁର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରା.ପ.ର ପୂର୍ବତନ ଗ୍ରାମ ରୋଜଗାର ସେବକ ଜିତେନ୍ଦ୍ର ଚୌଧୁରୀ, ଯିଏ ବର୍ତ୍ତମାନ ସେହି ବ୍ଲକର ପଦ୍ମାବତୀ ଗ୍ରା.ପ.ରେ ଚୁକ୍ତିଭିତ୍ତିକ ଗ୍ରାମ ରୋଜଗାର ସେବକ ଭାବରେ କାର୍ଯ୍ୟରତ ଥିଲେ, ତାଙ୍କ ବିପକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗୁରୁତର ଅର୍ଥ ଅନିୟମିତତା ଅଭିଯୋଗର ଏକ ଶୁଣାଣି କରି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଶ୍ରୀ ଚୌଧୁରୀଙ୍କୁ ତାଙ୍କ କାର୍ଯ୍ୟରୁ ଗତ ଅଗଷ୍ଟ ମାସ ୧୦ ତାରିଖରୁ ବହିସ୍କୃତ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଚୌଧୁରୀଙ୍କ ଉପରେ ନରେଗା ପ୍ରକଳ୍ପରେ ତେଇଶି ଲକ୍ଷ ଚଉସ୍ତରୀ ହଜାର ଚାରିଶହ ସତର ଟଙ୍କାର ଅର୍ଥ ତୋଷାରପାତର ଅଭିଯୋଗ ଥିଲା। ଏହି ବହିସ୍କାର ଆଦେଶ ଅତି ସ୍ପଷ୍ଟ ଭାବରେ ସୂଚାଏ ଯେ, ଜିଲ୍ଲାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମର ମୂଲ୍ୟବହନ କରି ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ପ୍ରଦର୍ଶନ କରାଯାଉଅଛି।