Odiapua.com

ନୟାଗଡ଼ କୋଭିଡ-୧୯ କଂଟ୍ରୋଲ ରୁମ୍ ବୁଲି ଅନୁଧ୍ୟାନ କଲେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ

ନୟାଗଡ଼, ୧୩ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌୧୯ କଂଟ୍ରୋଲ ରୁମ୍‌କୁ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ। ସେ ନୟାଗଡ଼ ଗସ୍ତରେ ଆସି ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼, ରକ୍ତ ଭଣ୍ଡାରକୁ ବୁଲି ଦେଖିବା ସହିତ କରୋନା ମୁକାବଲା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କୋଭିଡ୍‌୧୯ର କଂଟ୍ରୋଲ ରୁମ୍‌ର କାର୍ଯ୍ୟକାରିତା ଉପରେ ଅନୁଧ୍ୟାନ କରିଥିଲେ। ଦେଶ ବିଦେଶ ତଥା ରାଜ୍ୟ ବାହାରୁ ଓ ରାଜ୍ୟ ଭିତରର କରୋନା ଆକ୍ରାନ୍ତ ସ୍ଥାନରୁ ଆସୁଥିବା ବ୍ୟକ୍ତିଙ୍କ ନାମ ପଂଞ୍ଜିକରଣ ଓ କ୍ୱାରେଂଟାଇନରେ ରଖାଯାଉଥିବା ବିଷୟ ଦାୟିତ୍ୱରେ ଥିବା ଅଧିକାରୀ ଏଚ.ଡି ଧନରାଜଙ୍କୁ ପଚାରି ବୁଝିଥିଲେ। ଏପରିକି ଜିଲାର ବିଭିନ୍ନ ସ୍ଥାନର ସ୍ଥିତିକୁ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ କରୋନା ସଂକ୍ରାନ୍ତରେ ଲକ୍‌ଡାଉନ ହୋଇଥିବାବେଳେ କୃଷକମାନେ ସାମାଜିକ ଦୂରତ୍ୱ ରକ୍ଷାକରି ଚାଷ ବାସରେ ନିଜ କ୍ଷେତ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।