Odiapua.com

ନୟାଗଡ଼ର ୨ ମହାନ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ରେ ରାଷ୍ଟ୍ରପତି ସମ୍ମାନ ପାଇବେ

ନୟାଗଡ଼, ୨୧ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ୨ ମହାନ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ସମ୍ମାନ ପାଇବେ ବୋଲି ଜଣାପଡ଼ିଛି। ସେମାନେ ହେଲେ ଖଣ୍ଡପଡ଼ା ବ୍ଳକ କଂଟିଲୋ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସହଦେବ ବେହେରା (୯୭) ଏବଂ ରଣପୁର ବ୍ଳକ ମଝିଆଖଣ୍ଡ ଗ୍ରାମର ଈଶ୍ୱର ବିଶୋଇ (୯୯)। ସ୍ୱାଧାନତା ସଂଗ୍ରାମୀମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନରେ ସମ୍ମାନୀତ କରାଯିବାର ପରମ୍ପରା ଥିବାବେଳେ ମହାମାରୀ କରୋନା ଯୋଗୁଁ ଜିଳାପାଳ ନିଜେ ତାଙ୍କ ଗୃହକୁ ଯାଇ ଏହି ଦିବସରେ ତାଙ୍କୁ ସମ୍ମାନୀତ କରିବେ। ନୟାଗଡ଼ ଜିଲାର ଏହି ଦୁଇ ସ୍ୱାଧନତା ସଂଗ୍ରାମୀ ଇଂରେଜମାନଙ୍କ ବିରୋଧରେ ଲଢେଇ କରି ଦେଶକୁ ସ୍ୱାଧୀନତା ଆଣିବାରେ ଗୌରବ ଅର୍ଜନ କରିଥିଲେ। ସ୍ୱାଧନତା ସଂଗ୍ରାମୀ ଇଶ୍ୱର ବିଶୋଇ ୧୯୪୩ ମସିହାରେ ସୁବାଷ ବୋଷଙ୍କ ଆଜାଦ୍ ହିନ୍ଦ ଫୌଜରେ ଯୋଗଦେଇ ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରି ୧୯୪୫ ମସିହା ମେ ୬ତାରିଖରେ ବ୍ରିଟିଶ ସେନାଙ୍କ ଦ୍ୱାରା ବନ୍ଦି ହୋଇ ଜେଲ ଯାଇଥିଲେ। ସେ ୧୧ ମାସ ଜେଲରେ ରହି ୧୯୪୬ ମସିହା ଅପ୍ରେଲ ୨୭ ତାରିଖରେ ମୁକ୍ତ ହୋଇଥିଲେ। ୨୦୧୫ ଓ ୨୦୧୮ ମସିହାରେ ତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ। ସେହିପରି ସ୍ୱାଧୀନତା ସଂଗ୍ରାମୀ ସହଦେବ ବେହେରା ୧୯୩୮ ମସିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇ ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିଥିଲେ। ସେ ପୂର୍ବରୁ ୩ଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ।