Odiapua.com

ନୟାଗଡ଼ର ପରବର୍ତ୍ତୀ ସାହିତ୍ୟ ଏକାଡେମୀ ଜିଲା ସଦସ୍ୟତାକୁ ନେଇ ଚର୍ଚ୍ଚା – ସାହିତ୍ୟ ଅନୁଷ୍ଠାନ ଅନୁସାରେ ପାଠକଙ୍କ ସଂଖ୍ୟା ବଢୁନି

ନୟାଗଡ଼, ୨୩ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲା ସଦସ୍ୟ ପଦକୁ ନେଇ ଏବେ ଜୋରସୋର ଚର୍ଚ୍ଚା। କିଏ ହେବେ ନୟାଗଡ଼ ଜିଲାର ପରବର୍ତ୍ତୀ ସାହିତ୍ୟ ଏକାଡେମୀ ସଦସ୍ୟ। ଏହାକୁ ନେଇ ଜିଲାର ବିଭିନ୍ନ ସାହିତ୍ୟକ ଅନୁଷ୍ଠାନ ସାହିତ୍ୟନୁରାଗୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ ସଦସ୍ୟତା ସମୟ ୩ବର୍ଷ ହୋଇଥିବାବେହଳେ ନୟାଗଡ଼ର ସଭ୍ୟ ପଦବୀ ଆସନ୍ତା ଜୁଲାଇ ମାସରେ ଶେଷ ହେବାକୁ ଯାଉଛି। ପୂର୍ବରୁ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏହି ପଦବୀରେ ରହିଥିଲାବେଳେ ଏବେ ପରମ୍ପରାର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ସମ୍ମାନ ଜନକ ପଦବୀରେ ଅଛନ୍ତି। ଜୁଲାଇ ମାସରେ ଏହି ପଦବୀ ପୁରିବାକୁ ଥିବାବେଳେ ଏବେଠାରୁ ଏହି ପଦବୀରେ କିଏ ରହିବେ, ଏହି ପଦବୀ ପାଇଁ କିଏ ଉପଯୁକ୍ତ ତାହାକୁ ନେଇ ବିଭିନ୍ନ ସାହିତ୍ୟିକ ଓ ବ୍ୟକ୍ତି ବିଶେଷଙ୍କ ନାମ ଆଗକୁ ଆସିଛି। ନୟାଗଡ଼ରେ ଏବେ କିଛିବର୍ଷ ହେଲା ବହୁ ସାହିତ୍ୟନୁଷ୍ଠାନ ଗଢି ଉଠିଛି। ଯିଏ ଯାହାର ଅନୁଷ୍ଠାନକୁ ଆଗେଇ ନେବାପାଇଁ ଉଦ୍ୟମ ଜାରି ରଖିଥିବାବେଳେ ନିଜ ନିଜ ତରିକାରେ ସାହିତ୍ୟ ସଭା ଓ ଆସରକୁ ଅବ୍ୟାହତ ରଖିଛନ୍ତି। ଏହି ସାହିତ୍ୟ ଅନୁଷ୍ଠାନ ମାନଙ୍କରେ ବହୁ ଖ୍ୟାତନାମା ସାହିତ୍ୟିକମାନେ ରହିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ଓଡ଼ିଆ ସଂସ୍କୃତିର ପ୍ରଚାର, ପ୍ରସାର, ସାଂଗଠନିକ ଦକ୍ଷତାରେ ପାରଙ୍ଗମ ଥିବା ବ୍ୟକ୍ତି ବିଶେଷଙ୍କ ନାମକୁ ସାଧାରଣତଃ ପ୍ରାଧାନ୍ୟ ଦେବାକୁ ପଡ଼ିଥାଏ। ଏଇ କେଇବର୍ଷ ଭିତରେ ନୟାଗଡ଼ରେ ବହୁ ସାହିତ୍ୟ ଅନୁଷ୍ଠାନ ଗଢି ଉଠିଥିବାବେଳେ ଏବଂ ସାହିତ୍ୟିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସାହିତ୍ୟନୁରାଗୀ ଓ ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇନଥିବା ଅଭିଯୋଗ ହୁଏ। ଯାହାକି ନୟାଗଡ଼ର ବହୁ ପୁରାତନ ପୁସ୍ତକ ବ୍ୟବସାୟୀ ଶରତ ଚନ୍ଦ୍ର ମିଶ୍ର ଓ ବିଜୟ ମିଶ୍ରଙ୍କୁ ବିଭିନ୍ନ ଓଡ଼ିଆ ଭାଷାର ସାହିତ୍ୟ ବିଶେଷାଙ୍କ, ମାସିକ ପତ୍ରିକାର ବିକ୍ରୟ ଉପରେ ମତାମତ ନେବାରେ ଜଣାପଡ଼େ। ସେମାନେ କୁହନ୍ତିଯେ, ଆଗରୁ ଯେପରି ଦଶହରା ସଂଖ୍ୟା ହେଉ କି ମାସିକ ସଂଖ୍ୟା ବା ସାହିତ୍ୟ ପତ୍ର ପତ୍ରିକା ଯେପରି ବିକ୍ରୟ ହେଉଥିଲା ଆଉ ସେମିତି ପାଠକଙ୍କ ସଂଖ୍ୟା ନାହିଁ। ପୁସ୍ତକ ପଢିବାକୁ ପାଠକମାନଙ୍କର ରୂଚି ନାହିଁ କି ପାଠକଙ୍କ ସଂଖ୍ୟା ବୃଦ୍ଧି କରାଇବାରେ ପ୍ରୟାସ ନାହିଁ। ଦଶହରାରେ ୫୦ ହଜାର ଟଙ୍କାର ପୂଜା ବିଶେଷାଙ୍କ ଆଣିଲେ ହେଉ ବା ମାସିକ ବା ଷାଣ୍ମାଷିକ ପ୍ରକାଶିତ ସାହିତ୍ୟ ପତ୍ରପତ୍ରିକା ହେଉ ତାହା ସୁରୁଖୁରୁରେ ପାଠକ ନେଇଯାଉଥିଲେ। ବହୁତ ଆତ୍ମ ସେନ୍ତୋଷ ମିଳୁଥିଲା ଯେ ଯାହାହେଉ ପାଠକମାନେ ଖୁସିରେ ବହି ପଢିବାକୁ ନେଉଛନ୍ତି। ଏବେ କିନ୍ତୁ ୧୦/୨୦ ହଜାର ଟଙ୍କାର ବହି ଆଣିଲେ ଓ ଗୋଟିଏ ଗୋଟିଏ ସଂଖ୍ୟା ହେଲେବି ତାହା ବିକ୍ରି ହୋଇନପାରି ସେମିତି ପଡ଼ି ରହୁଛି। ଯାହାକି ବହୁତ କ୍ଷତି ହେଉଥିବାରୁ ଦୁଃଖର ସହ କୁହନ୍ତି ଉଭୟେ ପୁସ୍ତକ ବ୍ୟବସାୟୀ। ସାହିତ୍ୟ ଅନୁଷ୍ଠାନ ବଢୁଥିବାବେଳେ ପାଠକଙ୍କ ସଂଖ୍ୟା କମୁଥିବା ନେଇ ଉଦ୍‌ବେଗ ପ୍ରକାଶ କରନ୍ତି ବହୁ ସାହିତ୍ୟପ୍ରେମୀ। କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ନୟାଗଡ଼ ଜିଲାରେ ଜଣେ ଓଡ଼ିଆ ସାହିତ୍ୟ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ଦକ୍ଷତା ଥିବା ଭଲ ପ୍ରତିଭାବାନ ବ୍ୟକ୍ତିଙ୍କୁ ଚୟନ କରାଗଲେ ସାହିତ୍ୟର ପରିଧି ଆହୁରି ରୁଦ୍ଧିବନ୍ତ ହୋଇପାରିବ ବୋଲି ଆଲୋଚନା ହେଉଛି।