Odiapua.com

ନୟାଗଡ଼ରେ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ବଢୁଛି

ନୟାଗଡ଼, ୧୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାରେ ଅହରହ ଅଘୋଡିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ସହ ହିଂସା ବଢୁଥିବା ଦେଖିବାକୁ ମିଳୁଛି। ଏହା ନିତିଦିନିଆ ସମସ୍ୟା ଭାବେ ଦେଖାଦେଇଥିବାବେଳେ ଏହାର ସମାଧାନ ନହେଉଥବାରୁ ଅସନ୍ତୋଷ ଏବେ ହିଂସାତ୍ମକ ରୂପ ନେଉଛି। ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଇଟାମାଟି ଥାନା ଲାଠିପଡ଼ା ଗ୍ରାମରେ। ଗତ ୧୦ ତାରିଖରେ ବିଦ୍ୟୁତ କାଟ୍କୁ ନେଇ ଲାଠିପଡ଼ା ସବ୍ଷ୍ଟେସନ ଠାରେ ରାସ୍ତାରୋକ ସହ ଘେରାଉ କରାଯାଇଥିଲା। ଏହି ଘଟଣାରେ ଆନ୍ଦୋଳନକାରୀମାନେ ଉତ୍ୟକ୍ତ ହୋଇ ବିଦ୍ୟୁତ କନିଷ୍ଠ ଯନ୍ତ୍ରୀଙ୍କୁ କଥାକଟି ସହ ମାଡ଼ମାରିବା ଭଳି ଘଟଣା ହୋଇଥିଲା। ଏପରକି ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଏହାକୁନେଇ ଇଟାମାଟି ଥାନାରେ କନିଷ୍ଠ ଯନ୍ତ୍ରୀ କୋଦମାସିଘଂ ଓ ଇଟାମାଟି ପୁଲିସ ପକ୍ଷରୁ ଅଭିଯୋଗ କ୍ରମେ ଲାଠିପଡ଼ା ଟାଙ୍ଗିସାହିର ବୁଲୁ ଭଞ୍ଜ, ଜିତେନ୍ଦ୍ର ଭଞ୍ଜ, ପଣ୍ଡାସାହିର କବିରାଜ ନାୟକ, ଏବଂ ନାଗପୁରର ସୁବଳ ପାତ୍ର , ଉମାକାନ୍ତ ସାହୁ, ସୁରେଶ ସାହୁ ଓ ଉପେନ୍ଦ୍ର ଭଞ୍ଜଙ୍କୁ ପୁଲିସ ଗିରଫ କରିଛି। ଏହି ୭ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗ୍ରାମାଚଂଳରେ ବେଶୀ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ୍ରେ ଲୋକେ ଗରମରେ ଅତିଷ୍ଠ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। କରୋନା ଲକ୍ଡାଉନରେ ଲୋକେ ଘରେ ଆବଦ୍ଧ ହୋଇ ରହିବାକୁ ଚାହୁଁଥିଲା ବେଳେ ବିଦ୍ୟୁତର ଲୁଚକାଲି ଖେଳ ଲୋକଙ୍କୁ କଲବଲ କରି ପକାଉଛି। ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ଲୋକମାନେ ଅସନ୍ତୋଷ ପ୍ରକଟ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ପ୍ରତିକାର ନଥିବା ଅଭିଯୋଗ ହେଉଛି। କାରଣ ନଥାଇ ବିଦ୍ୟୁତ କାଟ୍ କରିବା ଲୋକମାନଙ୍କୁ ବେଶୀ ଅତିଷ୍ଠ କରିପକାଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।। ତେବେ ଖାଲି ଲାଠିପଡ଼ା ନୁହେଁ ଜିଲ୍ଲାର ସବୁଆଡ଼େ ବିଦ୍ୟୁତ କାଟ ସମସ୍ୟା ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟକୁ ନେଇ ନିଆଁଜାଳି ରାସ୍ତାରୋକ କଲାଭଳି ଘଟଣାମାନ ଏବେ ଦେଖିବାକୁ ମିଳୁଛି। ଯାହାକି ସାଧାରଣରେ ଏହାକୁ ନେଇ ବଡ଼ଧରଣର ଆନ୍ଦୋଳନ ହେବା ସୂଚନାବି ମିଳୁଛି।