Odiapua.com

ନୟାଗଡ଼ରେ ଗାନ୍ଧୀ ଶାନ୍ତି ସଦ୍ ଭାବନା ଜ୍ୟୋତି ରଥ

ନୟାଗଡ଼, ୦୯.୧୦.୧୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ଶାନ୍ତି ସଦ୍ ଭାବନା ଜ୍ୟୋତି ରଥ ଓଡ଼ିଶା ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ଡ. ରୀନା ରାଉତରାୟଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଯାଇଛି। ଏହି ଜ୍ୟୋତି ରଥକୁ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଡେପୁଟୀ କଲେକ୍ଟର ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଏବଂ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଶ୍ରୀ ଦୁର୍ଗାଚରଣ ଦାସ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ସଦ୍ ଭାବନା ଜ୍ୟୋତି ରଥରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ପରେ ଆୟୋଜିତ ଏକ ବୈଠକରେ ଡ. ରୀନା ରାଉତରାୟ ଏହି ଜ୍ୟୋତି ରଥ ସଂପର୍କରେ କହିଲେ ଯେ, ଏହି ରଥ ଗାନ୍ଧୀଙ୍କର ଶାନ୍ତି ଓ ଅହିଂସାର ବାର୍ତ୍ତା ସମଗ୍ର ରାଜ୍ୟରେ ପହଂଚାଇବ। ପୁରୀ ଠାରୁ ତେଲେଙ୍ଗାପେଣ୍ଠ ଦେଇ ନୟାଗଡ଼ରେ ଏହି ରଥ ପହଂଚିଛି। ଏହା ଫୁଲବାଣୀ, ବୌଦ ଆଦି ସମସ୍ତ ଜିଲ୍ଲା ଗୁଡ଼ିକୁ ପରିକ୍ରମା କରିବ। ଏହା ପରେ ନୟାଗଡ଼ ତ୍ରିନାଥଛକ ଠାରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ରାମଧୂନ ପ୍ରଚାର କରାଯାଇଥିଲା।