Odiapua.com

ନୟାଗଡ଼ରେ ଗତକାଲି ଥିଲା ୨୮୩ ଆଜି ନୂଆ ହେଲା ୨୮୫

ନୟାଗଡ଼, ୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଗତକାଲି ୨୮୩ ଆକ୍ରାନ୍ତଙ୍କ ସଂଖ୍ୟା ଥିଲାବେଳେ ମଙ୍ଗଳବାର ଆଉ ନୂଆ ଆକ୍ରାନ୍ତ ୨୮୫ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲାରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୯ରେ ପହଂଚିଛି। ଏବେ ଦୈନିକ ୨ଶହରୁ ୩ଶହ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହେଉଛି। କଟକଣା ଯଦି ଆଉଟିକେ ଠିକ୍‌ଭାବେ କରାଯାଆନ୍ତା କିମ୍ବା ଲୋକମାନେ ଯଦି ସରକାରଙ୍କ ନୀତି ନିୟମକୁ ମାନି ଚଳୁଥାନ୍ତେ ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ପରିମାଣରେ କମି ପାରନ୍ତା ବୋଲି କୁହାଯାଉଛି। ଆଜି ଭାପୁର ବ୍ଳକରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଦଶପଲ୍ଲାରୁ ୩୪, ଗଣିଆରୁ ୨, ଖଣ୍ଡପଡ଼ାରୁ ୨୨, ନୟାଗଡ଼ରୁ ୫୩, ନୂଆଗାଁରୁ ୪୦, ଓଡ଼଼ଗାଁରୁ ୩୨, ରଣପୁରରୁ ୪୪ ଓ ନୟାଗଡ଼ ମ୍ୟୁନିସିପାଲିଟି ଓ ଅନ୍ୟାନ୍ୟରୁ ୫୨ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଳାରେ କରୋନାରେ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ଓ ଆଉ ୨ଜଣଙ୍‌କର କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଲଗାତର ଭାବେ ନୟାଗଡ଼ ବ୍ଳକ, ରଣପୁର ବ୍ଳକ, ନୂଆଗାଁ ବ୍ଳକ ଓ ଓଡ଼ଗାଁ ବ୍ଳକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ସେତେଟା ହ୍ରାସ ପାଇଥିଲା ପରି ମନେହେଉନି। ଯାହାକି ଅନ୍ୟାନ୍ୟ ବ୍ଳକ ତୁଳନାରେ ଏହିସବୁ ବ୍ଳକ ପ୍ରତି ଅଧିକ ଧ୍ୟାନ ଦେଇ କଟକଣା କଠୋର ହେବାର ଆବଶ୍ୟକତା ଅଛି ବୋଲି କୁହାଯାଉଛି। ଗାଁ ଗହଳିରେ ଏବେବି କରୋନାରେ ବାରଣ ନଥିବା ଦେଖିବାକୁ ମିଳୁଛି।