Odiapua.com

ନୟାଗଡ଼ରେ କୋଭିଡ୍ ପରବର୍ତ୍ତୀ ସମୀକ୍ଷା ବୈଠକ

ନୟାଗଡ଼ ୨୫-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୃଜନ ଠାରେ ଦିବା ୧୨ଘଟିକା ସମୟରେ ଜିଲ୍ଲାପାଳ ଡାଃ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଟୀକାକରଣ, ଯକ୍ଷ୍ମା ନିରୋଧ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଭିତ୍ତି ଭୂମିର ଦୃଢ଼ୀକରଣ, ଗାଁ କଲ୍ୟାଣ ସମିତି, ଅଣସଂକ୍ରମକ ରୋଗର ନିରାକରଣ ଆଦି କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ୱରାନ୍ନିତ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସମସ୍ତ ମେଡିକାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତି ଭୂମି ଦୃଢ଼ୀକରଣ କରିବା ଏବଂ ନୂତନ ଗୃହଗୁଡ଼ିକୁ ନିର୍ମାଣ କରିବା ପାଇଁ ମଧ୍ୟ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଡାଃ ଟୁଡୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖୋର୍ଦ୍ଦା ଜିଲ୍ଲାରୁ ଡାଃ ବିଶ୍ୱମୋହନ ମିଶ୍ର ଓ ଡାଃ ମୀରା ଲେଙ୍କା ଗସ୍ତ କରି ଯକ୍ଷ୍ମା ନିରାକରଣ ବ୍ୟବସ୍ଥାକୁ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଶକ୍ତି ପ୍ରାସାଦ ମିଶ୍ର ବୈଠକରେ ପ୍ରକାଶ କରିଥିଲେ।

ଏହା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଜିଲ୍ଲାପାଳ ଡାଃ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ସମସ୍ତଙ୍କୁ ସ୍ୱାଗତ ଜଣାଇ ବହୁଦିନ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି ବୋଲି ପ୍ରକାଶ କରିଥିଲେ। ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ନିତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସର୍ବପ୍ରଥମେ ମୋ ଉପକାରୀ ବଗିଚା ସଂପର୍କରେ ଆଲୋଚନା କରାଯାଇଥିଲା। ହିତାଧିକାରୀମାନଙ୍କୁ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମୋ ଉପକାରୀ ବଗିଚା ଯୋଜନା ମାଧ୍ୟମରେ ଅମୃତଭଣ୍ଡା ଚାରା, ଲେମ୍ବୁଚାରା ଆଦି ଚାରାଗୁଡ଼ିକ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେହିପରି ଜଙ୍ଗଲ ବିଭାଗ ଦ୍ୱାରା ଆଗ୍ରୋ ଫରେଷ୍ଟ ଯୋଜନାରେ ଲେମ୍ବୁ- ସଜନା, ଅମୃତଭଣ୍ଡା ଆଦି ଚାରା ହିତାଧିକାରୀ ଏବଂ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାପରେ ଜଳବିଭାଜିକା ବିଭାଗ ପ୍ଲାଂଟେସନ, ଫାର୍ମ ପଣ୍ଡ୍ ଏବଂ ଆମ୍ବ ବଗିଚା ଆଦି କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ୱରାନ୍ନିତ କରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେହିପରି ଲାଇନ ବିଭାଗର ଅଧିକାରୀ ଯଥା ଜଳସେଚନ, କ୍ଷୁଦ୍ର ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗ ଗୁଡ଼ିକ ସେମାନଙ୍କର ବକେୟା କାର୍ଯ୍ୟକ୍ରମଗୁଡ଼ିକୁ ଯଥାଶୀଘ୍ର ତ୍ୱରାନ୍ନିତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଓ ବନଖଣ୍ଡ ଅଧିକାରୀ ଖୋର୍ଦ୍ଦା, ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀ ଆଦି ଉପସ୍ଥିତ ଥିଲେ।