Odiapua.com

ନୟାଗଡ଼ରେ କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ନିର୍ବାଚନୀ ପ୍ରଚାର

ନୟାଗଡ଼, ୧୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କେନ୍ଦ୍ରରେ ବିଜେପି ସରକାର ସହିତ ରାଜ୍ୟରେ ବିଜେପି ସରକାର ଆସିଲେ ବିକାଶର ଧାରା ତ୍ୱରାନ୍ନୀତ ହୋଇପାରିବ ବୋଲି ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ କହିଛନ୍ତି। ଶୁକ୍ରବାର ଅପରାହ୍ନରେ ବିଜେପିର ଏହି ସମାବେଶରେ ଗୃହମନ୍ତ୍ରୀ ରାଜନାଥ ଯୋଗଦେଇ ରାଜ୍ୟରେ ଓ କେନ୍ଦ୍ରରେ ବିଜେପି ସରକାରକୁ ଆଣିବା ପାଇଁ ନିବେଦନ କରିଥିଲେ। ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଇରାନୀ ରାୟଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆସିଥିବା ଗୃହମନ୍ତ୍ରୀ ରାଜନାଥ ଏହି ସମାବେଶକୁ ସମ୍ବୋଧନ କରି ମୋଦୀ ସରକାର ଦେଶର ଉନ୍ନତି ପାଇଁ ଯେଉଁସବୁ ଜନହିତକର ଯୋଜନା ମାନ ଲାଗୁ କରିଛନ୍ତି ସେସବୁ ଯୋଜନା ମଧ୍ୟରୁ କିଛି ଯୋଜନାକୁ ଓଡ଼ିଶା ସରକାର ଅସହିଷ୍ଣୁତା ହୋଇ କାର୍ଯ୍ୟକାରୀ କରୁନାହାନ୍ତି। ସେ କହିଲେଯେ ଓଡ଼ିଶାରେ ଦାରିଦ୍ର୍ୟ, ବେକାରୀ, ବେରୋଜଗାରୀ, କ୍ଷୁଧା ଭଳି ବହୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସ୍ୱାସ୍ଥ୍ୟ, ଶିକ୍ଷା ଅବସ୍ଥା ବିଗିଡ଼ାବାରେ ଲାଗିଛି। କଂଗ୍ରେସର ୫୦ବର୍ଷର ଶାସନ ଓ ବିଜେପିର ୫ବର୍ଷର ସୁଶାସନ ମଧ୍ୟରେ ଏକ ତ୍ୱଳାନାତ୍ମକ ବିବରଣୀ ରଖିଥିଲେ। ଓଡ଼ିଶାର ବିକାଶ ହେବାକୁ ହେଲେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେପି ସରକାର ଆସିବା ପାଇଁ ଭୋଟର ଭାଇ ଭଉଣୀମାନେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏଣୁ ନୟାଗଡ଼ର ସମୃଦ୍ଧି ଆଣିବା ପାଇଁ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଇରାନୀ ରାୟଙ୍କୁ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଯୋଗଦେଇ ଗତ ୧୫ ବର୍ଷ ଭିତରେ ନୟାଗଡ଼ର ବିକାଶ କେବଳ କଥାରେ ସୀମିତ ବୋଲି କହିବା ସହିତ ନୟାଗଡ଼ ଡାକ୍ତରଖାନାର ଦୁରାବସ୍ତା, ଚିନିକଳକୁ ଚଳାଇବାର ପ୍ରତିବଦ୍ଧତା ଦେବା ସହିତ ନୟାଗଡ଼ରେ ଏକ ବିକାଶମୂଳକ ଶାସନର ଆବଶ୍ୟକତା ରହିଛି ବୋଲି କହିବା ସହିତ ନିଜପାଇଁ ଭୋଟଭିକ୍ଷା କରିଥିଲେ। ବିଧାୟିକା ପ୍ରାର୍ଥୀନୀ ଇରାନୀ ରାୟ ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ସହିତ ତାଙ୍କୁ ଜିତାଇ ଆଣିଲେ ସେ ଜନସାଧାରଣଙ୍କ ନିକଟରେ ତଥା ନୟାଗଡ଼ବାସୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖି କାର୍ଯ୍ୟ କରିବେ ବୋଲି ଦକ୍ଷିଣକାଳୀଙ୍କ ନିୟମ ନେଇ ଶପଥ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କାଶିନାଥ ମଲ୍ଲିକ, ବିଜେପି ନୟାଗଡ଼ ଜିଲ୍ଲା ସଭାପତି ସନ୍ୟାସୀ ନାୟକ, ବିଜେପି ଯୁବନେତା ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।