Odiapua.com

ନୟାଗଡ଼ରେ କରୋନା ସ୍ଥିତି – ବଢ଼ୁଛି ମୃତ୍ୟୁ ସଂଖ୍ୟା, ଘରେ ଘରେ ଜ୍ୱରରେ ଆକ୍ରାନ୍ତ ଲୋକେ

ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ସ୍ଥିତି ଭୟାନକ ଆଡ଼କୁ ଗତି କରୁଛି। ଏବେ ନିତି ପ୍ରତିଦିନ କରୋନା ବା ଅନ୍ୟ ରୋଗରେ ଆକ୍ରାନ୍ତ ଥାଇ କରୋନା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବା ବିଭିନ୍ନ କାରଣରୁ ମୃତ୍ୟୁ ହେବା ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ ସପ୍ତାହରେ ଦୈନିକ ଶହେ ଟପୁଥିବାବେଳେ ଏବେ ଅବଶ୍ୟ ସେଥିରେ ସୁଧାର ଆସିଛି। ହେଲେ ମୃତ୍ୟୁରେ ସୁଧାର ଆସି ପାରିନାହିଁ। କେଉଁଦିନ କେତେ ମୃତ୍ୟୁ ବରଣ କରୁଛନ୍ତି ଓ କେଉଁ ରୋଗରେ ତା’ର ସଠିକ ହିସାବ ମିଳୁନି। ଯାହାକି ପ୍ରକୃତ ତଥ୍ୟକୁ ନେଇ ଅନେକଙ୍କୁ ଦ୍ୱନ୍ଦରେ ପକାଇଛି। ଗତଦିନ ମାନଙ୍କରେ ସାଧାରଣ ଲୋକଙ୍କୁ କରୋନା ଆକ୍ରାନ୍ତ ହେଉଥିବା ହିସାବ ହେଉଥିବାବେଳେ ଏବେ ନୟାଗଡ଼ରେ ପ୍ରାୟ ବଡ଼ବଡ଼ିଆଙ୍କୁ କରୋନା ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳୁଛି। ନୟାଗଡ଼ ବଜାର ଉପରେ କରୋନା ଏବେ ପ୍ରଭାବ ବିସ୍ତାର କରିଛି। ସହରର ଜୁବୁଲି ମାର୍କେଟକୁ ପୁରା କରୋନା କବଳିତ କରିଥିବାବେଳେ ଅନ୍ୟାନ୍ୟ ମାର୍କେଟରେ ମଧ୍ୟ କରୋନା କବଳିତ କରିବାକୁ ଯାଉଛି। ସରକାରଙ୍କ କଟକଣା ନମାନିଲେ ଆହୁରି ଭୟଙ୍କର ପରିସ୍ଥିତି ହେବ ବୋଲି କୁହାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯାଉଛି। ହେଲେ କରୋନା କଟକଣାକୁ ବଜାରରେ ପ୍ରାୟ ମାନୁନଥିବା ଦେଖାଯାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ଯାହା ମୃତ୍ୟୁ ସ୍ଥିତି କିନ୍ତୁ ଅଧିକ ଡରାଉଛି। ଆଜି ପର୍ଯ୍ୟନ୍ତ ସରକାରୀଭାବେ ନୟାଗଡ଼ ଜିଲାରେ ୧୪ଜଣଙ୍କ କରୋନା ମୃତ୍ୟୁ ଘଟିଥିବା ହିସାବ ଥିବାବେଳେ ପ୍ରକୃତ ପକ୍ଷେ ଏହାର ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ଅନ୍ୟ ରୋଗରେ ଆକ୍ରାନ୍ତ ଥାଇ କରୋନାରେ ମୃତ୍ୟୁ ହିସାବ ଆହୁରି କାହିଁ ବୋଲି ଆଲୋଚନା ହେଉଛି। ଔଷଧ ଦୋକାନୀ ଠାରୁ ଆରମ୍ଭ କରି ନୟାଗଡ଼ର ଜଣେ ଗାଇନିକ୍ ଡାକ୍ତର କରୋନାରେ ମୃତ୍ୟୁ ବରଣ କରିଥିଲାବେଳେ ଗତ ମଙ୍ଗଳବାର ଦଶପଲା ଅଂଚଳରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଖଣ୍ଡପଡ଼ାରୁ ଜଣେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଦଶପଲାର ଜଣେ ଶିକ୍ଷକ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କର ପୁତୁରା ବୋହୁ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଶିମିଳିସାହି ପଂଚାୟତ ବରଡିହି ଗ୍ରାମର ଜଣେ ୩୦ ବର୍ଷର ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ତାଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ନୟାଗଡ଼ ଜିଲା ଶିକ୍ଷା କାର୍ଯ୍ୟାଳୟର ଜଣେ ଯୁବ କିରାଣୀଙ୍କ କିଛିଦିନ ତଲେ ମୃତ୍ୟୁ ହୋଇଥିବାବେଳେ ଖେଡ଼ପଡ଼ାର ଜଣେ ବ୍ୟାଙ୍କ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ସେହିପରି ପୋଲିସ ରବି କବି ଓ ଓ ସନ୍ତୋଷ ବେହେରା କରେନାରେ ମୃତ୍ୟୁ ବରଣ କରିଥିଲାବେଳେ ଜଣେ ଜିଲାପରିଷଦ ସଭ୍ୟ ଓ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ପୁଣି ଗତ ସୋମବାରେ ଜଣେ ୫୫ବର୍ଷୀୟ ଜଣେ ବ୍ୟକ୍ତି ଓ ଗତକାଲି ବଡ଼ବାଣପୁରର ଜଣେ ୬୮ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି। ସରକାରୀଭାବେ କରୋନା ମୃତ୍ୟୁ ସଂଖ୍ୟା ନୟାଗଡ଼ରେ ୧୫ ଥିଲାବେଳେ ଆଉ ଦୁଇଜଣ ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ଯେଉଁପରି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି ତାହା ଅନେକଙ୍କୁ ଅଧିକ ଭୟଭିତ କରାଇଛି। ଅନ୍ୟପକ୍ଷରେ ଏବେ ପ୍ରାୟ ଘରେ ଘରେ ଜ୍ୱରରେ ଆକ୍ରାନ୍ତ ହେଇଥିବାରୁ କରୋନା ଭୟ ସେମାନଙ୍କୁ ବେଶୀ ଘାରିଛି। ତେବେ କରୋନା କଟକଣା ଭିତରେ ରହିବାକୁ ଜିଲାପାଳ ଡଃ ପୋମା ଟୁଡୁ ପରାମର୍ଶ ଦେଇଥିବାବେଳେ ଚଳିତ ମାସ ଆମପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।