Odiapua.com

ନୟାଗଡ଼ରେ କରୋନା ସ୍ଥିତି ଅସମ୍ଭାଳ, କାଲି ୧୭୧ ଆଜି ୭୬, ସମୁଦାୟ ୨୬୭୬

ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ସ୍ଥିତି ବେଳକୁ ବେଳେ ଅସମ୍ଭାଳ ଆଡ଼କୁ ଗତି କରୁଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସିନା ଥମିବାର ନାଁଧରୁନି। ଜୁଲାଇ ମାସ ପୂର୍ବରୁ କରୋନା ସଂକ୍ରମଣଙ୍କ ସଂଖ୍ୟା ସେତେ ଉଦ୍‌ବେଗଜନକ ନଥିବାବେଳେ ଜୁଲାଇ ମାସ ଆରମ୍ଭରୁ ନିତି ପ୍ରତିଦିନ ସଂଖ୍ୟାଧିକ ସଂକ୍ରମଣ ବାହାରୁଛନ୍ତି। ଏପରିକି ଅଗଷ୍ଟ ମାସରେ ପ୍ରାୟ ଦିନମାନଙ୍କରେ ତିନିଅଙ୍କ ଛୁଇଁବାରେ ଲାଗିଛି। ଗତକାଲି ଏକକାଳୀନ ୧୭୧ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଆଜି ୭୬ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ୧୭୧ ଆକ୍ରାନ୍ତଙ୍କୁ ମିଶାଇ ୨୫୬୧ ହୋଇଥିଲାବେଳେ ଆଜି ୭୬ ସଂକ୍ରମଣ ସହ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କୁ ମିଶାଇ ୨୬୭୬ ହୋଇଛି। ଜୁଲାଇ ମାସ ପୂର୍ବରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮ ଥିଲାବେଳେ କେବଳ ଅଗଷ୍ଟ ମାସର ଏଇ ୨୭ ଦିନ ଭିତରେ ୨୦୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଯେଉଁ ୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଭାପୁର ବ୍ଳକରୁ ୧୨ଜଣ, ଦଶପଲ୍ଳା ବ୍ଳକରୁ ୯ଜଣ, ଗଣିଆରୁ ଜଣେ, ଖଣ୍ଡପଡ଼ା ବ୍ଳକରୁ ୧୦ଜଣ, ନୟାଗଡ଼ ବ୍ଳକରୁ ୧୯ଜଣ, ନୂଆଗାଁ ବ୍ଳକରୁ ୩ଜଣ, ଓଡ଼ଗାଁ ବ୍ଳକରୁ ୫ଜଣ, ରଣପୁର ବ୍ଳକରୁ ୧୧ଜଣ ଓ ନୟାଗଡ଼ ପୌରାଚଂଳରୁ ୬ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ଅଗଷ୍ଟ ମାସରେ ଏତେସଂଖ୍ୟକ କରୋନା ଆକ୍ରାନ୍ତଙ୍କ ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି।