Odiapua.com

ନୟାଗଡ଼ରେ କରୋନା ମୃତ୍ୟୁ ବୋଲି ୫ ଦିନ ପରେ ପ୍ରଶାସନ ସ୍ପଷ୍ଟ କଲା

ନୟାଗଡ଼, ୫ା୭:( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ମୃତ୍ୟୁକୁ ନେଇ ୫ ଦିନ ହେଲା ଦ୍ୱନ୍ଦ ଉପୁଜିଥିଲାବେଳେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଜି ଜିଲାପ୍ରଶାସନ ନୟାଗଡ଼ର ଔଷଧ ଦୋକାନୀ (୪୦)ଙ୍କ ମୃତ୍ୟୁ କରୋନା ଜନିତ ବୋଲି ସ୍ପଷ୍ଟ କରିଛନ୍ତି। ଏନେଇ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡାଇରେକ୍ଟ ଅଫ ହେଲ୍‌ଥ ସର୍ଭିସର ୩ ଜଣିଆ ଟିମ୍ ଏକ ଅଡିଟ୍ ରିପୋର୍ଟରେ ଏହା ଉଲ୍ଲେଖ କରିଥିବାବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୟାଗଡ଼ର ସୁଧାଂଶୁଙ୍କ ମୃତ୍ୟୁ କରୋନା ଜନିତ ବୋଲି ଚିଠିରେ ଉଲ୍ଳେଖ କରିଛନ୍ତି। ଏହି ଅଡିଟ୍ ଟିମ୍ ରେ ପ୍ରଫେସର ଡ ସି ବି କେ ମହାନ୍ତି, ଡ ବିଜୟ କୁମାର ମହାପାତ୍ର ଓ ଡ ନୀରଞ୍ଜନ ମିଶ୍ରଙ୍କ ଜୁଲାଇ ୨ ତାରିଖ ଅଡିଟ ରିପୋର୍ଟରେ ଉଲ୍ଲେଖ ଅଛିଯେ ନୟାଗଡ଼ର ଔଷଧ ଦୋକାନୀ ଜୁଲାଇ ୧ ତାରିଖ ରାତି ୩ଟା ୪୫ରେ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହି କମିଟି ତାଙ୍କ ଅଡିଟ୍ ରିପୋର୍ଟରେ ଉଲ୍ଳେଖ କରିଛନ୍ତିଯେ ଉକ୍ତ ବ୍ୟକ୍ତିଙ୍କୁ କରୋନା ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ୨୭ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମଧୁମେହ ରୋଗ ଥିବାରୁ ବେଳକୁ ବେଳ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଟିମ୍ ତାଙ୍କ ରିପୋର୍ଟରେ କରୋନା ମୃତ୍ୟୁ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ନୟାଗଡ଼ ଯଦୁମଣିନଗରର ସେ ଜଣେ କରୋନା ସଂକ୍ରମିତ ସୁନା ଅଳଙ୍କାର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏବଂ ନୟାଗଡ଼ର ୧୦ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍‌ରେ ଆକ୍ରାନ୍ତ ହୋଇଥିଲେ। ତେବେ ଗତ ଜୁନ୍ ମାସ ୨୦ ତାରିଖରେ ଔଷଧ ଦୋକାନୀ ପ୍ରଥମେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତା’ପରଦିନ ଅର୍ଥାତ ୨୨ ତାରିଖରେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା। ସ୍ୱାବ୍ ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍‌ପିଟାଲକୁ ପଠାଯାଇଥିଲା। ହେଲେ ଗତ ୧ତାରିଖରେ ଯୁବ ଔଷଧ ଦୋକାନୀ କରୋନାରେ ମୃତ ବୋଲି ଜଣାପଡ଼ିଥିଲା। ହେଲେ ତାଙ୍କ ମୃତ୍ୟୁର ୬ଦିନ ପରେ ମଧ୍ୟ କରୋନା ଜନିତ ମୃତ୍ୟୁ ବୋଲି ସୂଚନା ନଦେବା ନୟାଗଡ଼ର ବିଭିନ୍ନ ମହଲରେ ଦ୍ୱନ୍ଦ ସୃଷ୍ଟି କରିଥିଲା।